Odia news portal

ଆଇଆଇସିଙ୍କ ଅନୁପସ୍ଥିତିରେ ଏସ୍‌ଆଇ ଦେଖାଇଲେ ଦବଙ୍ଗଗିରି

ପୁରୀ : ପୁଣି ଚର୍ଚ୍ଚାରେ ବାସେଳୀ ସାହି ଥାନା ପୁଲିସ । ଆଇଆଇସିଙ୍କ ଅନୁପସ୍ଥିତିରେ ସବ୍‌ଇନ୍ସପେକ୍ଟର୍‌ ଦେଖାଇଲେ ଦବଙ୍ଗଗିରି । ଏତଲା ରଖି ସ୍ପଟ୍‌ ଇନ୍‌କ୍ୱାରୀ କରିବା ବଦଳରେ ବାବୁ ଦେଖାଇଲେ ନାଲି ଆଖି । ପତ୍ନୀ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ସ୍ୱାମୀ ଦେଇଥିଲେ ଏତଲା । ହେଲେ ସବ୍‌ଇନ୍ସପେକ୍ଟର୍‌ ବାବୁ କହିଲେ ତୋ’ ସ୍ତ୍ରୀକୁ ଏଠାକୁ ଡାକେ । ତା’ ପରେ ଯାଇ ବୁଝିବି । ଏଭଳି ଅଭିଯୋଗ ହେବା ପରେ ଥାନା ଆଇଆଇସି କ୍ଷୋଭ ପ୍ରକାଶ କରିଛନ୍ତି । ଆହତ ଦମ୍ପତି ହେଲେ ଏହି ଥାନା ଅଧୀନ ମାଟିତୋଟା ପ୍ରଧାନ ସାହିର ଲକ୍ଷ୍ମୀ ବରାଳ (୩୩) ଓ ରବି ବରାଳ (୩୭) ।

ଅଭିଯୋଗ ଅନୁଯାୟୀ, ରବିଙ୍କ ସାନଭାଇ ଛବି ବରାଳ ଓ ତାଙ୍କର ଭଉଣୀମାନଙ୍କ ମଧ୍ୟରେ ଘରଡିହ ଜମି ନେଇ ବିବାଦ ଲାଗି ରହିଛି । ପୂର୍ବରୁ ଏହି ଦମ୍ପତିଙ୍କୁ ଆକ୍ରମଣ ହୋଇଥିବା ନେଇ ମଧ୍ୟ ଥାନାରେ ବାରମ୍ବାର ଅଭିଯୋଗ ଓ ବୁଝାମଣା ହୋଇଛି । ଶୁକ୍ରବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟର ଝଗଡା ଲାଗିଥିଲା । ଆକ୍ରମଣରେ ରବିଙ୍କ ହାତରେ ଗଭୀର ଆଘାତ ଲାଗିଥିବା ସହ ପତ୍ନୀ ଲକ୍ଷ୍ମୀଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଦମ୍ପତିଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଉଭୟ ଚାଲି ଚାଲି ମଧ୍ୟ ରାତ୍ରିରେ ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ ଏମାନଙ୍କ ଏତଲା ଲେଖାଇନଥିଲା । ନିୟମ ଦୃଷ୍ଟିରୁ ଯଦି କେହି ପୀଡିତ କିମ୍ବା ପୀଡ଼ିତା ଥାନାକୁ ଯାଏ ସେଠାରେ ପୁଲିସ ସେମାନଙ୍କ ଏତଲା ଲେଖାଇବାରେ ସହଯୋଗ କରିବ । ହେଲେ ଏଠାରେ ତାହା କରି ନଥିଲା ପୁଲିସ । ଆଇଆଇସି ସଞ୍ଜୀବ ପ୍ରଧାନ ଛୁଟିରେ ଥିବାବେଳେ ଥାନାରେ ଥିବା ସବ୍‌ଇନ୍ସପେକ୍ଟର୍‌ ସୁଶାନ୍ତ ବେହେରା ଉଭୟଙ୍କୁ ସକାଳେ ଏତଲା ଦେବ ବୋଲି କହି ଥାନା ଗାଡିରେ ବସାଇ ଘରକୁ ପଠାଇ ଦେଇଥିଲେ । ପରେ ଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଶନିବାର ମଧ୍ୟାହ୍ନରେ ରବି ଥାନାକୁ ଯାଇ ଲିଖିତ ଏତଲା ଦେଇଥିଲେ । ହେଲେ ଏହା ପୂର୍ବରୁ ଆକ୍ରମଣକାରୀଙ୍କ ପକ୍ଷରୁ ପ୍ରଥମେ ଏତଲା ଗ୍ରହଣ କରି ସାରିଥିଲା ପୁଲିସ । ତେଣୁ ତୁମ ନାଁରେ ଏତଲା ଅଛି କହି ବାବୁ ଧମକାଇଥିବା ଅଭିଯୋଗ ହୋଇଛି । ଏପରିକି ତୋ’ ସ୍ତ୍ରୀକୁ ଡାକିଲେ ବୁଝିବି ବୋଲି କହି ସବ୍‌ଇନ୍ସପେକ୍ଟର୍‌ ଶ୍ରୀ ବେହେରା ଥାନାରୁ ତଡିଥିବା ରବି ଅଭିଯୋଗ କରିଛନ୍ତି । ହେଲେ ଲକ୍ଷ୍ମୀ ଚିକିତ୍ସାଧୀନ ଥିବାବେଳେ ଡାକ୍ତରଖାନା ଯାଇ ପୁଲିସ ଇନ୍‌କ୍ୱାରୀ କରୁ ବୋଲି ରବି ନେହୁରା ହୋଇଥିଲେ ମଧ୍ୟ ବାବୁ ତଡ଼ି ଦେଇଥିଲେ । ପରେ ବିନା ଇନ୍‌କ୍ୱାରୀରେ ରବିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ନେଇ ରବି ଆଇଆଇସି ସଞ୍ଜୀବ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପୁଲିସ ତାଙ୍କ ଏତଲା କ୍ରମେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏନେଇ ଆଇଆଇସି ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ପୁଲିସର କର୍ତ୍ତବ୍ୟ ଡାକ୍ତରଖାନା ବେଡ୍‌ ପାଖକୁ ଯାଇ ଇନ୍‌କ୍ୱାରୀ କରିବ । ଚିକିତ୍ସାଧୀନ ଅବସ୍ଥାରେ ଆହତଙ୍କୁ ଥାନାକୁ ଡାକିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି । ଏପରିକି ଡାକ୍ତରଖାନାକୁ ପୁଲିସ ପଠାଇ ଆହତଙ୍କ ଷ୍ଟେଟ୍‌ମେଣ୍ଟ ରେକର୍ଡ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଏନେଇ ସବ୍‌ଇନ୍ସପେକ୍ଟର୍‌ ଶ୍ରୀ ବେହେରା କହିଛନ୍ତି ଯେ, ଆହତ ଦୁହେଁ ଚାଲି ଚାଲି ଆସିଥିବାରୁ ରାତିରେ ଥାନା ଗାଡିରେ ବସାଇ ଘରକୁ ପଠାଇଥିଲି । ଏତଲା ରଖି ଉଭୟ ପକ୍ଷଙ୍କୁ ଡାକିଥିଲି । ରବି ତା’ ସ୍ତ୍ରୀକୁ ନେଇ ଆସିଲେ ଘଟଣା ସମ୍ପର୍କରେ ବୁଝାଯିବ ବୋଲି କୁହାଯାଇଥିବା ସେ କହିଛନ୍ତି ।

You might also like

Leave A Reply

Your email address will not be published.