ଚାକିରି ନିୟମିତ କରିବାକୁ ଓଡ଼ିଶା ସ୍ଵାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘର ଦାବି
ଭୁବନେଶ୍ୱର,(ଚକ୍ରଧର ମାଝି) : ଚାକିରି ନିୟମିତ, ଦରମା ବୃଦ୍ଧି, ସ୍ବାସ୍ଥ୍ୟ ବୀମା, ଘର ଭଡ଼ା, ମହଙ୍ଗା ଭତ୍ତା, ରାଜ୍ୟ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ଆଦି ୧୨ଦପ ଦାବିରେ ଓଡ଼ିଶା ସ୍ବାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ମୁତାବକ, ଗତ ରାଜ୍ୟ ସରକାର ଠିକା ପ୍ରଥା ଉଠାଇଦେବାର ଳ ନାରା ଦେଇ ପ୍ରାୟ ସମସ୍ତ ବିଭାଗରୁ ୫୮ହଜାର କର୍ମଚାରୀଙ୍କୁ ନିୟମିତ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟରତ ପ୍ରାୟ ୮ହଜାର କର୍ମଚାରୀଙ୍କୁ ବାଦ ଦେଇଥିଲେ।
ଏଥିରେ ପରିଚାଳନା କର୍ମଚାରୀଙ୍କ ସମେତ ଆୟୁଷ ଡାକ୍ତର, ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନ କର୍ମଚାରୀ, ଇଞ୍ଜିନିୟରିଂ କର୍ମଚାରୀ ଓ ଏଡ୍ସ ସୋସାଇଟିର କର୍ମଚାରୀ ଅନ୍ତର୍ଭୁକ୍ତ। ଦୀର୍ଘ ୧୮ ବର୍ଷ ହେବ ସ୍ବାସ୍ଥ୍ୟ ମିସନ ଅଧୀନରେ ବ୍ଲକ୍ସ୍ତରରୁ ରାଜ୍ୟସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ ୪୫ ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି । ସେମାନଙ୍କରେ ଉଦ୍ୟମରେ ୨୦୦୬ ମସିହାରୁ ସ୍ବାସ୍ଥ୍ୟ ବିଭାଗ ଅନେକ ସଫଳତା ହାସଲ କରିବା ସହ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଏବଂ କୋଭିଚ୍ ମହାମାରୀ ସମୟରେ ନିରବଚ୍ଛିନ୍ନ ସେବା ପ୍ରଦାନ ଏହାର ଉଦାହରଣ ବୋଲି କହିଛନ୍ତି। ଏଣୁ କାର୍ମଚାରୀଙ୍କର ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ଦାବିଗୁଡ଼ିକୁ ପୂରଣ କରିବା ଲାଗି ସଂଘ ଦାବି କରିଛି। ସଂଘର ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ମହେଶ କୁମାର ମିଶ୍ର, ସଂଘ ସଭାପତି ଅନିରୁଦ୍ଧ ପଣ୍ଡା, କୋଷାଧ୍ୟକ୍ଷ ଆଶୁତୋଷ ମିଶ୍ର ଓ ସଦସ୍ୟ ଭାଗୀରଥି ବେହେରା ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ