Odia news portal

ଜାନୁଆରୀ ୭ରୁ ପୁରୀରେ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ

ପୁରୀ : ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ଼ର ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ ଏବେକାର ସମାଜରେ ମନୁଷ୍ୟ ପ୍ରାୟତଃ ବସ୍ତୁବାଦୀ ବିଚାରର ବଶବର୍ତ୍ତୀ ହେବା ଫଳରେ ନିଜର ସଂସ୍କୃତି, ଶୃଙ୍ଖଳା ଓ ସଂସ୍କାରଠାରୁ ଧୀରେ ଧୀରେ ଦୂରେଇଯାଉଛି । ତେଣୁ ମଣିଷ ଜୀବନରେ ଏକ ସୁଧାର ଆଣିବା ଉଦ୍ଦ୍ୟେଶରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡୱାଇଡ଼ (ଏସଜେସିସିଡବ୍ଲୁଡବ୍ଲୁ) ପକ୍ଷରୁ ୨୦୨୫ ମସିହା ଜାନୁଆରୀ ମାସ ୭ ତାରିଖରୁ ତିନିଦିନ ବ୍ୟାପି ପୌରସଦନଠାରେ ଏକ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହେବ ଯାହାର ବିଷୟବସ୍ତୁ ହେଉଛି । “ଚିନ୍ତନ ଓ ଚେତନାରେ ମହାପ୍ରଭୁ ଶ୍ରୀଜଗନ୍ନାଥ” |

ଏହି ଆଧ୍ୟାତ୍ମିକ ସମାବେଶକୁ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଉଦଘାଟନ କରିବେ | ଏଥିରେ ବିଦେଶରୁ ଅନେକ ପ୍ରତିନିଧି ଯୋଗ ଦେବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି | ଏହାର ବିଭିନ୍ନ ଅଧିବେଶନରେ ସାଧୁସନ୍ଥମାନେ ନିଜର ବକ୍ତବ୍ୟ ରଖିବେ | ଏହି ସମାବେଶରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ବ୍ୟତୀତ ଆହୁରି ଅନେକ ଆକର୍ଷଣ ରହିଛି | ଯେପରିକି ଶ୍ରୀଜଗନ୍ନାଥଙ୍କ ପୁସ୍ତକ ଓ ବେଶକୁ ନେଇ ପ୍ରଦର୍ଶନୀ, ବାଲୁକା କଳା, ଭଜନ, କୀର୍ତ୍ତନ, ମହାପ୍ରସାଦ ସେବନ, ମହୋଦଧି ଆରତୀ ଇତ୍ୟାଦି ଅନେକ କିଛି | ଏହି ସମ୍ପର୍କରେ ଏସଜେସିସିଡବ୍ଲୁଡବ୍ଲୁର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ ବିଶଦ ଭାବରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି |

ଏହି ସମାବେଶ ପାଇଁ ସଂଗଠନ ପକ୍ଷରୁ ପୁରୀର ଝାଞପିଟା ମଠଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା | ଏଥିରେ ମଠର ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାସ ବାବାଜୀ , ବରିଷ୍ଠ ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର , ନେଉଲି ମଠର ପୂଜ୍ୟ ମହନ୍ତ ଡ଼. ରାମ ଚରଣ ଦାସ, ଡ଼ ଭାସ୍କର ମିଶ୍ର, ଡ଼ ନାରାୟଣ ମହାପାତ୍ର, ଡ଼ ପି. ସି ମହାପାତ୍ର, ଶ୍ରୀ ନରେନ୍ଦ୍ର ନାୟକ, ଶ୍ରୀ ଭଗବାନ ଦାସ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ |

You might also like
Leave A Reply

Your email address will not be published.