Odia news portal

ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଠକିଲା ବିଜେପି : ବିଜେଡି


ସଂଖ୍ୟାଧିକ ମହିଳାଙ୍କୁ ଯୋଜନାରୁ ବାଦ୍ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି

ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର

ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ । ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ ବଡ଼ ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ । କିନ୍ତୁ ସଂକଳ୍ପପତ୍ରରେ ଲେଖିଲେ ଦୁଇ ବର୍ଷରେ ୫୦ ହଜାର ଦେବୁ, ଏବେ କହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ ବର୍ଷରେ ୫୦ ହଜାର ଦେବୁ । ମିଛ କହିବା ହେଉଛି ବିଜେପିର ପ୍ରକୃତି ।

ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ, ୧୮ରୁ ୨୧ ବର୍ଷ ମଧ୍ୟରେ ଥିବା ମହିଳା, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ, ବ୍ୟାଙ୍କସାଥୀ, ସ୍ୱଚ୍ଛ ସାଥୀ ସୁଭଦ୍ରା ଯୋଜନାରେ କ’ଣ ପାଇଁ ସାମିଲ ହୋଇପ।।ରିବେ ନାହିଁ ? ଖାଲି ସେତିକି ନୁହେଁ ଯାହାଙ୍କ ଘରେ ଟ୍ରାକ୍ଟର, ପାୱାରଟିଲର, ୪ ଚକିଆ ଯାନ, ୨ଟି ଦୁଇ ଚକିଆ ଯାନ ଥିବ ସେମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ଆୟକର ଦେଉଥିବା ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ କହିଥିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହେବେ । ବିଜେପିର ଏହା କୁତ୍ସିତ ମାନସିକତା, ଲୋକଙ୍କୁ ଭୁଆଁ ବୁଲାଇବାରେ ବିଜେପି ମାହିର ।

ସୁଭଦ୍ରା ଯୋଜନା ହେଉଛି ଘରଭଙ୍ଗା ଯୋଜନା ।
ଦଳର ଅନ୍ୟତମ ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଏସ୍‌ଓପି ଆସିଛି, ତାହା ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନୁହେଁ, ବରଂ ଯୋଜନାରୁ କିପରି ମହିଳା ବାଦ୍ ପଡ଼ିବେ ତାହା କରିଛନ୍ତି । ଓଡ଼ିଶାର ମହିଳା ବିଜେପିକୁ ବିଶ୍ୱାସ କରି ଭୋଟ ଦେଇଥିଲେ, କିନ୍ତୁ ବିଜେପି ତାଙ୍କ ବିଶ୍ୱାସରେ ବିଷ ଦେଇଛି । ବିଜେଡି ତରଫରୁ ଆମେ ଦାବି କରୁଛୁ ଯେ ସଂକଳ୍ପପତ୍ରରେ ବିଜେପି ଯାହା କହିଥିଲା ତାହା ପୂରଣ କରୁ ଏବଂ ପ୍ରତ୍ୟେକ ମହିଳାଙ୍କୁ ଏକକାଳୀନ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦିଆଯାଉ ।

You might also like
Leave A Reply

Your email address will not be published.