Odia news portal

ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି


ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି

ଅଶୋକ ଗେଡିଙ୍କୁ ପ୍ରଲୋଭନ ଦେଖାଇ, ବିଭିନ୍ନ ପ୍ରକାର ଧମକ ଦିଆଯାଇଥିଲା

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କ ସହ ଅନେକ ସରପଞ୍ଚ ଓ ସମିତିସଭ୍ୟ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, ବିଜୁ ଜନତା ଦଳର ବରି ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବରି ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଓ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କୁ ଶ୍ରୀମତୀ ମଲ୍ଲିକ, ଶ୍ରୀ ଦେବ, ଶ୍ରୀ ଜେନା ଓ ଶ୍ରୀ ମଲ୍ଲିକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରି ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିଜେପି ସାରା ଓଡ଼ିଶାରେ ପ୍ରଲୋଭନ ଦେଖାଇ ଓ କ୍ଷମତାର ଦୂରୁପଯୋଗ କରି ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେବାକୁ ଚେଷ୍ଟା କରୁଛି । ଆଜି ଅଶୋକ ଗେଡିଙ୍କ ଯୋଗଦାନ ଫଳରେ ବିଶେଷକରି ବରୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମତୀ ମଲ୍ଲିକ, ଶ୍ରୀ ଦେବ, ଶ୍ରୀ ଜେନା ଓ ଶ୍ରୀ ମଲ୍ଲିକ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ବରୀ ବ୍ଲକର ବିକାଶ ପାଇଁ ବିଜେପି ଯାଇଥିଲି । ଗତ ୧୧ ଦିନ ଭିତରେ ବିକାଶର କୌଣସି ବାସ୍ତବତା ଅନୁଭବ କରିପାରିଲି ନାହିଁ । ବିଜେପିରେ ଖାଲି ଭାଷଣବାଜି ଓ ମିଛ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇଲିନି । ତେଣୁ ମୁଁ ପୁଣିଥରେ ବିଜେଡିକୁ ଫେରିଆସିଲି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଗ୍ରହଣ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି କ୍ଷମତାର ଦୂରୁପଯୋଗ କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ।

ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡିଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ପ୍ରଲୋଭନ ଦେଖାଇ ଓ ବିଭିନ୍ନ ପ୍ରକାର ଧମକ ଦେଇ ଦଳରେ ମିଶାଇ ବାହାବା ନେବାକୁ ଚେଷ୍ଟା କରିଥିଲା ବିଜେପି । ସେ କଥା ଆଜି ଫସର ଫାଟିଯାଇଛି । ବରୀ ବ୍ଲକ ବିକାଶ କଥା ଚିନ୍ତା ନ କରି ବିଜେପି କର୍ମୀ କିଭଳି ଫାଇଦା ପାଇବେ ସେନେଇ ଯୋଜନା କରିଥିଲା ବିଜେପି । ଅଶୋକ କୁମାର ଗେଡି ଏହା ଜାଣିପାରିବା ପରେ ପୁଣି ବିଜେଡି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ଦଳକୁ ଫେରିଆସିଛନ୍ତି ।

You might also like
Leave A Reply

Your email address will not be published.