Odia news portal

ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ମଧ୍ୟ ଆଦିବାସୀଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରୁନାହାନ୍ତି : ବିଜେଡି


ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବ
ଓଡ଼ିଶାର ଲଗାତାର ବିରୋଧ ସତ୍ତ୍ୱେ କେନ୍ଦ୍ରର ବିଜେପି ସରକାର ପୋଲାଭରମ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର : ଓଡିଶା ସ୍ୱାର୍ଥର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡିଆଙ୍କୁ ବ୍ୟଥିତ କରିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶଙ୍ଖଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ । ଶ୍ରୀ ମାଝୀ କହିଛନ୍ତି ଯେ, ପୋଲାଭରମ ପ୍ରକଳ୍ପକୁ ଦୀର୍ଘ ବର୍ଷ ହେଲା ଓଡିଶା ବିରୋଧ କରି ଆସୁଛି ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଛତିଶଗଡ ସମେତ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଜୀବନଜୀବିକା ପ୍ରଭାବିତ ହେବ । କିନ୍ତୁ ବିଡମ୍ବନାର ବିଷୟ ବିଜେପି ଦଳ ବା ରାଜ୍ୟ ସରକାର ଏହି ବାବଦରେ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି । ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବା ସମୟରେ ଚଳିତ ବଜେଟରେ ଏକତରଫା ଭାବେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ରର ବିଜେପି ସରକାର ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ । ତତ୍‌ସହିତ ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ୨୦୨୬ ମାର୍ଚ୍ଚ ସୁଦ୍ଧା ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।

ଏହି ପ୍ରକଳ୍ପ ହେବା ଦ୍ୱାରା ଆଦିବାସୀଙ୍କ ସ୍ୱାର୍ଥହାନୀ ହେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଜଣେ ଆଦିବାସୀ ହୋଇ ମଧ୍ୟ ଚୁପ୍ ରହିବା ଦୁର୍ଭାଗ୍ୟଜନକ । ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ମାଝୀ କହିଛନ୍ତି ।

You might also like
Leave A Reply

Your email address will not be published.