Odia news portal

ବିଜେଡ଼ିରେ ଯୋଗଦେଲେ ରାଜ୍ୟ କଂଗ୍ରେସର ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତ


ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ରାଜ୍ୟ କଂଗ୍ରେସର ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପ୍ରତାପ ଚନ୍ଦ୍ର ରାଉତ ଓ ସମସ୍ତ କଂଗ୍ରେସ କର୍ମୀଙ୍କୁ ଶ୍ରୀ ରାଉତ, ଡକ୍ଟର ପାତ୍ର ଓ ଶ୍ରୀ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ରାଉତ, ଡକ୍ଟର ପାତ୍ର ଓ ଶ୍ରୀ ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପ୍ରତାପ ଚନ୍ଦ୍ର ରାଉତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଦଧା ଗ୍ରାମପଞ୍ଚାୟତର ସରପଞ୍ଚ ନିଶିପଦ୍ମା ତାଣ୍ଡି, ସରପଞ୍ଚ ଖୁଲଣା ମାଝୀ, ସମିତି ସଭ୍ୟ ନିହାର ରଞ୍ଜନ ପଢ଼ିଆରୀ ଓ ବିଏମସିର ବହୁ କର୍ପୋରେଟର ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.