Odia news portal

ଭୁବନେଶ୍ବର ଉତ୍ତର ରାଜନୀତି ସରଗରମ : ଏଥର ବିଜେପି-ବିଜେଡି କଡ଼ା ମୁକାବିଲା !

ଭୁବନେଶ୍ବର : ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ରାଜନୀତି ସରଗରମ ହୋଇଛି। ପ୍ରିୟଦର୍ଶୀ ପୂର୍ବରୁ ଏଠାରେ ବିଧାୟକ ଥି‌ଲେ ଓ ତାଙ୍କର ଏଠାରେ ଭଲ ପ୍ରଭାବ ରହିଛି। ଏଣୁ ବିଜେପି ତାଙ୍କୁ ପ୍ରା‌ର୍ଥୀ କରିବା ସମ୍ଭାବନା ଥିବାରୁ ଏଥର ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ଆସନରୁ ବିଧାୟକ ଭାବରେ ବିଜୟ ଲାଭ କରିଥିଲେ। ୨୦୧୯ରେ ବିଜେଡି ଟିକେଟ୍ ମିଳି ନଥିଲା। ବିଜେଡି ଟିକେଟ୍‌ରେ ସୁଶାନ୍ତ ରାଉତ ଲଢ଼ି ବିଜୟୀ ହୋଇଥିଲେ।

ପ୍ରିୟଦର୍ଶୀ କୌଣସି ବିଦ୍ରୋହ କରିନଥିଲେ। ନିର୍ବାଚନ ପରେ ତାଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବରେ ଥଇଥାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦଳରେ ତାଙ୍କୁ ସେତେଟା ଗୁରୁତ୍ବ ମିଳି ନଥିଲା। ଗତ କିଛି ଦିନ ହେବ ସେ ଉତ୍ତର ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରି ଟିକେଟ୍‌ ପାଇଁ ବଡ଼ ଦାବିଦାର ଭାବେ ନିଜକୁ ଉପସ୍ଥାପିତ କରିଥିଲେ। ଏଠାରେ ବିଜେଡି ଏ ଯାଏ କାହାକୁ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ବିଜେଡିରୁ ଟିକେଟ୍‌ ପାଇଁ କୌଣସି ସଙ୍କେତ ନ ମିଳିବାରୁ ପ୍ରିୟଦର୍ଶୀ ଆଗୁଆ ଦଳ ଛାଡ଼ି ଦେଇଛନ୍ତି।

ସେପଟେ ବିଜେପି ଏଠାରେ ତିନି ଥର ଯାକ ପ୍ରାର୍ଥୀ ବଦଳାଇଛି। ୨୦୦୯ରେ ଗୋଲକ ମହାପାତ୍ର, ୨୦୧୪ରେ ଦିଲ୍ଲୀପ ମହାନ୍ତି ଓ ୨୦୧୯ରେ ଅପରାଜିତା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଥରେ ହେଲେ ବିଜେପି ଏହି ଆସନ ହାତେଇ ପାରି ନାହିଁ। ଏପରିକି ଭୁବନେଶ୍ବରର ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଏଠାରେ ବିଜେପିର ପ୍ରଦର୍ଶନ ମଧ୍ୟ ଦୁର୍ବଳ ରହିଛି। ତେଣୁ ଏଥର ପ୍ରିୟଦର୍ଶୀଙ୍କ ପରି ଜଣେ ଦକ୍ଷ ସଂଗଠକ ତଥା ଭଲ ଭାବମୂର୍ତ୍ତି ରଖିଥିବା ନେତା ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ବିଜେପି ଟିକେଟ୍‌ ମିଳିବା ସମ୍ଭାବନା ବଢ଼ିଯାଇଛି। ଏଣୁ ଏଠାରେ ବିଜେଡି ସହ ବିଜେପିର କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ମହଲ ଆକଳନ କଲେଣି। ସୂଚନାଯୋଗ୍ୟ ଯେ ପ୍ରିୟଦର୍ଶୀ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ। ତେବେ ଶ୍ରୀ ପାଟ୍ଟଶାଣୀଙ୍କ ସହ ପାରବାରିକ ସମ୍ପର୍କ ହେବା ପୂର୍ବରୁ ସେ ବିଧାୟକ ହୋଇସାରିଥିଲେ।

ଶନିବାର ଦିନ ପ୍ରିୟଦର୍ଶୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି କୁନାଲ ରାଉତ, ୱାର୍ଡ ସଭାପତି ସ୍ୱାକ୍ଷର ରଞ୍ଜନ ମହାନ୍ତି, ଭୁବନେଶ୍ୱରର ଉପସଭାପତି ଆଲୋକ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା, ସଞ୍ଜୁ ଭୋଇ, ନିର୍ମଳ ବେହେରା, ସମାଜସେବୀ ବିଦୁଲତା ବେହେରା, ୱାର୍ଡ ମେମ୍ବର ଦିଲୀପ ରାଉତ, ପୂର୍ବତନ ୱାର୍ଡ ମେମ୍ବର ଗୁରୁଚରଣ ରାଉତ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ଲୋକେଶ କୁମାର, ଖୋର୍ଦ୍ଧା ଜିଲ୍ଲା ସଭାପତି ଦୟାନିଧି ସ୍ୱାଇଁ, ପୂର୍ବତନ କର୍ପୋରେଟର ରଶ୍ମିରେଖା ଜେନା, ଦାଶରଥୀ ନାୟକ ପ୍ରମୁଖ ବିଜେପିରେ ସାମିଲ୍‌ ହୋଇଥିଲେ।

You might also like
Leave A Reply

Your email address will not be published.