Odia news portal

ଉତ୍କଳୀୟ ସଂସ୍କୃତି ପରମ୍ପରା ଉଜ୍ଜୀବିତ ରହୁ : ଉତ୍କଳ ଶିଶୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ୨୦୨୪

ଭୁବନେଶ୍ୱର : ନୃତ୍ୟଭୂମି କଲ୍‌ଚରାଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଉତ୍କଳ ଶିଶୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ୨୦୨୪ ପ୍ରଶାନ୍ତି ବିହାର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସମସ୍ତଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ କହିଥିଲେ ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଏତେ ସୁନ୍ଦର ଯେ ତାହା ଭାଷାରେ ପ୍ରକାଶ କରିହେବ ନାହିଁ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ଆଦର ଲାଭ କରିଛି ।

ଏହି ସଂସ୍କୃତି ଓ ପରମ୍ପରା ସବୁବେଳେ ଉଜ୍ଜୀବିତ ରହୁ । ସମ୍ମାନୀତ ଅତିଥି ଭାବେ ୧ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଓ ବିଶିଷ୍ଟ ଶିକ୍ଷାବିତ୍ ବିଷ୍ଣୁ ଚରଣ ସୂତାର ଯୋଗଦେଇ ଉତ୍କଳ ଦିବସର ମହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନୃତ୍ୟଭୂମି କଲ୍‌ଚରାଲ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ୭୦ କଣ ଛାତ୍ରଛାତ୍ରୀଙ୍କୁ ଉତ୍କଳ ଶିଶୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଥିଲା ।

ଏବଂ ୧୦୦ ଜଣଙ୍କୁ ସାନ୍ତେ୍ୱାନା ମୂଳକ ପୁରସ୍କାର ଦିଆଯାଇଥିଲା । ନୃତ୍ୟଭୂମିର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ସସ୍ମିତା ରାଣୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଦି କ୍ଲବର ସଭାପତି ଆଶୁତୋଷ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରଶାନ୍ତି ବିହାରର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ନୃତ୍ୟଭୂମି ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

You might also like
Leave A Reply

Your email address will not be published.