Odia news portal

ସାଲିଆସାହିରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଶାଳ ଜନସମାବେଶ

ଭୂବନେଶ୍ୱର : ସାଲିଆସାହିରେ ଦିର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନେ ବସବାସ କରି ଆସୁଅଛନ୍ତି । ସରକାର ଏହି ସମୟ ଭିତରରେ ଭରତପୁର, ଶିଖରଚଣ୍ଡୀ, ନୀଳାନ୍ଦ୍ରୀ ବିହାର ପ୍ରମୁଖ ଜାଗାରେ ଜମିପଟା ଦେଇ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିଛନ୍ତି। ଏହାପରେ ବାଲ୍ମିକୀ ଆମ୍ବେଦକର ଯୋଜନା, ଧରାଭୀ ମଡେଲ, ଜବାହରଲାଲ ନେହେରୁ ସହରାଞ୍ଚଳ ନବୀକରଣ ଯୋଜନା, ରାଜୀବ ଆବାସ ଯୋଜନା ଜାଗା ନାମରେ ଗଣ୍ଡା ଗଣ୍ଡା ଯୋଜନା କରାଯାଇଥିଲେ ମଧ୍ୟ ସାଲିଆସାହିରେ କୌଣସି ଯୋଜନା କାର୍ଯ୍ୟକାରୀ କରାଗଲା ନାହିଁ।କେବଳ ଭୋଟ ହାତେଇବା ପାଇଁ ଭୋଟ ବେଳେ ହିଁ ନୂଆ ନୂଆ ଲୋଭନୀୟ ପ୍ରତିଶୃତି ଦିଆଯାଏ। ବାସ୍ତବରେ ଏହା କାର୍ଯକାରି ହୁଏନାହିଁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାଗା ମିଶନ କାର୍ଯ୍ୟକାରୀ କରିବା ନାମରେ ମିଛ ଡ୍ରୋନ ଉଡାଇ ଜାଗା ମିଶନରେ ଜମିପଟା ଦିଆଯିବ ବୋଲି ଗୁଜବ ସୃଷ୍ଟି କରାଗଲା। ବାସ୍ତବରେ ସାଲିଆସାହି ଜଙ୍ଗଲ ଜମିରେ ରହିଥିବା ହେତୁ କୌଣସି ଯୋଜନାରେ ଥଇଥାନ କରାଯାଇ ପାରିବ ନାହିଁ ବୋଲି ଭୁବନେଶ୍ୱର ମେୟର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ସ୍ଥାନୀୟ ଆଦିବାସୀଗାଁ ଫୁଟବଲ ପଡିଆଠାରେ ଜଙ୍ଗଲ ଅଧିକାର ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା,୨୦୦ଫୁଟିଆ ରାସ୍ତାର ୨୦୧୭ ବିଡିଏ ଦ୍ବାରା ମୋଡ଼ିଫିକେଶନ ନକ୍ସାକୁ ପରିବର୍ତନ କରି ୨୦୧୦ର ଖଡଗପୁର ଆଇଆଇଟି ଦ୍ବାରା ପ୍ରସ୍ତୁତ ଭିଜନ ୨୦୩୦ର ପୂର୍ବ ପ୍ରସ୍ତାବିତ ନକ୍ସା ଅନୁସାରେ ଏକାମ୍ର କାନନ ଭିତରେ ସୁଗମ ରାସ୍ତା ନିର୍ମାଣ କରି ସରକାରୀ ଅର୍ଥ ଅପବ୍ୟୟ ରୋକବା, ସାଲିଆସାହିର ନେତୃବୃନ୍ଦଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ଯା ମାମଲା ପ୍ରତ୍ଯାହାର କରିବା ପ୍ରମୁଖ ଦାବିରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଅଛି।

ଏହି ସମାବେଶରେ ସିପିଆଇ ଏମ୍‌ର ରାଜ୍ଯ ସଂପାଦକ ମଣ୍ଡଳୀ ସଭ୍ଯ ସୁରେଶ ପାଣିଗ୍ରାହୀ,ବିଜେପିର ରାଜ୍ୟ ନେତା ଦିଲ୍ଲିପ ମହାନ୍ତି, କଂଗ୍ରେସର ରାଜ୍ଯ ନେତା ଶିବାନନ୍ଦ ରାୟ, ସିପିଆଇର ରାଜ୍ୟ ନେତା ଜୟନ୍ତ ଦାସ, ସିପିଆଇ ଏମ୍‌ ଏଲ ରେଡ ଷ୍ଟାର୍ ର ରାଜ୍ୟ ସଂପାଦିକା ପ୍ରମିଳା ବସ୍ତି ସୁରକ୍ଷା ମଞ୍ଚର ହେନା ବାରିକ ପ୍ରମୁଖ ବକ୍ତବ୍ୟ ଦେଇ କହିଥିଲେ କି ନବୀନ ବାବୁଙ୍କ ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ଜାଗା ମିଶନ କରି ବସ୍ତିରେ କୋଟି କୋଟି ଟଙ୍କାର ହୋଡିଂ ଲଗାଇବା,ଭୋଜିଭାତ କରି ସରକାରୀ ଅର୍ଥ ବରବାଦ କରୁଥବା ବେଳେ ଲୋକଙ୍କ ଠାରୁ ଜବରଦୋସ୍ତ ଟଙ୍କା ଆଦାୟ କରି ପାରା ଭାଡିକୁ ଠେଲିଦେବା, ପୋଲିସ ବଳ ଲଗାଇ ଗରିବ ଲୋକଙ୍କ ଘର ଭାଙ୍ଗିବା ବସ୍ତି ଥଇଥାନରେ ଚରମ ବିଫଳତା ଏବଂ ବସ୍ତି ବାସିନ୍ଦାଙ୍କୁ ଭୂଆଁ ବୁଲାଇ ବଡ଼ ବଡିଆଙ୍କୁ ଜମି ଦେବା ପାଇଁ ଷଡଯନ୍ତ୍ର ପଦାରେ ପଡି ଯାଇଛି।

ସାଲିଆସାହିକୁ ଜଙ୍ଗଲ ଜମି କହି ଥଇଥାନରୁ ବାଦ ଦିଆଯାଉଥିବା ବେଳେ ଜଙ୍ଗଲ ଅଧିକାର ଆଇନ ଲାଗୁ କରି ଜମି ଅଧିକାର ଦେବା ପାଇଁ ସରକାରଙ୍କ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଥିଲେ?ସାଲିଆସାହି ଆଞ୍ଚଳିକ କମିଟି ନିରବଚ୍ଛିନ୍ନ ଭାବରେ ଜମିର ଅଧିକାର ପାଇଁ ଦାବି କରିଆସିଛି। ଦିର୍ଘ ୧୫ ମାସରୁ ଅଧିକ ଦିନ ଧରି ଗଣଧାରଣା, କୋର୍ଟ କଚେରୀର ଲଢେଇ ଫଳରେ ନିକଟରେ ରାଜ୍ଯ ସରକାର ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ସାଲିଆସାହିର ଆଦିବାସୀଗାଁରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରି ଜଙ୍ଗଲ ଅଧିକାର କମିଟି ଗଠନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଚିଠି ଲେଖିଛନ୍ତି।

ତାହାକୁ ବିଏମସି ବିଡିଏ ଆର ଏଣ୍ଡ ବି ଡିଭିଜନ ୩ ଅସ୍ବୀକାର କରି ଆସୁଅଛନ୍ତି।ବସ୍ତି ଉଛେଦ ଏବଂ ରାସ୍ତା ନିର୍ମାଣ କାମ ଜାରୀ ରଖିଛନ୍ତି। ଆଖପାଖ ଥିବା ଜଙ୍ଗଲ ଜମିକୁ ଜବର ଦଖଲ କରି ଲୋକଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ପାଚେରୀ ବୁଲାଉଛନ୍ତି। ଜଙ୍ଗଲ ଅଧିକାର ଆଇନର ଧାରା ୪(୫)ର ପ୍ରାବଧାନ ଅନୁସାରେ ଜଙ୍ଗଲ ଅଧିକାରରେ ବ୍ଯକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ତଥା ପାରମ୍ପରିକ ଗୋଷ୍ଠୀ ସମ୍ବଳ ପ୍ରଦାନ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଉଛେଦ କମ୍ବା ବିତାଡିତ କରାଯାଇ ପାରିବ ନାହିଁ।

ତାହା ମଧ୍ୟ ଅନୁସୂଚିତ ଜନଜାତି/ଅନୁସୂଚିତ ଜାତି ଅପରାଧ ନିବାରଣ ଧାରା୩-୧(ଜି) ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ। ତେଣୁ ଜଙ୍ଗଲ ଅଧିକାର ଆଇନକୁ ସମ୍ମାନ ଜଣାଇ ସମସ୍ତ ଉଛେଦ କାର୍ଯ୍ଯ ଏବଂ ବେଆଇନ ନିର୍ମାଣକୁ ବନ୍ଦକରିବା ପାଇଁ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଦାବି କରାଯାଇଛି। ଏହି ସମାବେଶକୁ ଆଞ୍ଚଳିକ କମିଟିର ସଭାପତି ଜୟଦେବ ନାୟକ, ସଭ୍ଯ ରଘୁନାଥ ନାଥ, ଶିବଶଙ୍କର ସୋରେନଙ୍କ ଦ୍ବାରା ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ।

ସାଲିଆସାହିର ଆଞ୍ଚଳିକ କମିଟିର ଆବାହକ ମଣ୍ଡଳି ସଭ୍ୟ ସାଲ ମାର୍ଣ୍ଡି,ଅଞ୍ଜନ ନାଥ, ପ୍ରମିଳା,ନାରାୟଣ ଲେଙ୍କା ଉମେଶଚନ୍ଦ୍ର ଦାସ, ଜ୍ଯୋତ୍ସ୍ନା ତିର୍କୀ,ସୁଶାନ୍ତ ମହାକୁଡ,ଫୁଲରାଣୀ ପାତ୍ର ଜୟନ୍ତୀ ସୋରେନ, ଚାମ୍ବୁରୁ ସୋରେନ ଝରଣା ରାଉତ, ଅନୁସୂୟା ସାହୁ ଚୁନକୋଳି ସୁରକ୍ଷା ମଞ୍ଚର ଲଢୁଆନେତା ବସନ୍ତ ଦିଗି ପ୍ରମୁଖ ବକ୍ତବ୍ୟ ଦେଇ ଦାବି କରିଥିଲେ ଯେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ସାଲିଆସାହି ର ସମସ୍ତଙ୍କୁ ସେହି ଜମିରେ ସମସ୍ତ ଦଖଲ ଜମିର ପଟ୍ଟା ଦିଆଯାଉ। ତାହା ନହେଲେ ଆଗାମୀ ଦିନରେ ଜୋରଦାର ଲଢେଇ କରାଯିବ ପରିଣାମ ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

You might also like
Leave A Reply

Your email address will not be published.