କଟକ : ଏସି ମେକାନିକଙ୍କ କଳା କାରନାମା। ହୋଟେଲ ରୁମ୍କୁ ଏସି ସଜାଡ଼ିବାକୁ ଯାଇ ରେକଡିଂ କଲେ ଯୁବତୀଙ୍କ ଗାଧୁଆ ବେଳର ଭିଡିଓ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବଜାରର ଏକ ହୋଟେଲ୍ ରୁମ୍ରେ। ଏସମ୍ପର୍କରେ ଯୁବତୀ ଜଣଙ୍କ ଜାଣିପାରିବାରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

ସୂଚନାନୁଯାୟୀ, ସାଲେପୁର ବଜାର ସ୍ଥିତ ଏକ ହୋଟେଲ ରୁମ୍ରେ ଭଡ଼ାରେ ଥିବା ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଏସି ଖରାପ ହେବାରୁ ମେକାନିକ୍ ଡାକିଥିଲେ। ଏହାପରେ ଜଣେ ମେକାନିକ୍ ଏସି ସଜାଡ଼ିବାକୁ ଆସିଥିଲେ। ମେକାନିକ୍ ଜଣଙ୍କ ହେଉଛନ୍ତି ସାଲେପୁର ଥାନା ଅନ୍ତର୍ଗତ କୁସମ୍ଵି ଗ୍ରାମର କିଶୋର ନାୟକ। କିଶୋର ଏସି ସଜାଡ଼ିବା ବେଳେ ହୋଟେଲରେ ରହୁଥିବା ବ୍ୟାଙ୍କ କର୍ମଚାରୀଙ୍କ ବାଥରୁମରେ କୌଶଳ କ୍ରମେ ଏକ ମୋବାଇଲ୍ ରେକଡିଂ ମୋଡରେ ରଖିଦେଇଥିଲେ ଓ ମହିଳାଙ୍କର ଗାଧୁଆ ବେଳର ସମସ୍ତ ଭିଡିଓ ରେକଡିଂ କରିଥିଲେ।

ଏ ସମ୍ପର୍କରେ ଯୁବତୀ ଜଣଙ୍କ ଜାଣି ପାରିବା ପରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ସାଲେପୁର ଥାନା ପୋଲିସ ଏସି ମେକାନିକ୍ କିଶୋର ନାୟକଙ୍କୁ ଅଟକ ରଖିବା ସହ ମୋବାଇଲ୍ ଜବତ କରିଛି। ଏନେଇ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।