Odia news portal

କରୋନାରେ ଆରପାରିକୁ ଚାଲିଗଲେ ବାପା ମା’, ଏବେ ଦେଢ଼ ମାସ ଶିଶୁର ମା’ ସାଜିଛି ୭ ବର୍ଷର ଭଉଣୀ

ଜଳେଶ୍ୱର : ଗାଁ ଦାଣ୍ଡ ଆଜି ପୂରା ଶୂନଶାନ, କାଉ କୋଇଲିଙ୍କ ସ୍ବର ଶବ୍ଦ ବି ଶୁଣିବାକୁ ମିଳୁନି, ଘର ଭିତରେ ଦେଢ ମାସ ର ସାନଭାଇ କୁ ଝୁଲଣା ରେ ଝୁଲାଇ ଝୁଲାଇ ଶୂଆଇ ଦେଉଛି ବଡ ଭଉଣୀ , କୁନି ଭାଇ ଟି ଯଦି ନିଦରୁ ଉଠି କାନ୍ଦୁଛି , ବଡ ଭଉଣୀ ତାକୁ କାନ୍ଧରେ ପକାଇ ବୁଲାଇ ଆଣୁଛି , ଆଉ ତାକୁ ବୁଝାଇ ଦେଉଛି ତୁ କାନ୍ଦୁଛୁ କାହିଁକି, ବାପା ମା ସିନା ଆମକୁ ଛାଡି ଚାଲିଗଲେ, ତୋ ପାଖରେ ପରା ମୁଁ ଅଛି, ତୋର କିଛି ବି ହେବନି, ଏମିତି କେତେ କଥା କହି ଦେଢମାସର କୁନିଭାଇକୁ ବୁଝାଇ ଦେଉଛି ବଡଭଉଣୀ, ବଡଭଉଣୀର ବୟସ ବି ଅଧିକ ନୁହେଁ । ମାତ୍ର ୭ ବର୍ଷ ସେ କିନ୍ତୁ ବୁଝି ସାରିଛି ଆମ ବାପା ମା ଆମ ଦୁଇଜଣଙ୍କୁ ଛାଡି ଚାଲିଗଲେ । ମାତ୍ର ଦେଢ଼ ମାସର ସାନଭାଇଟି ଯେମିତି ବାପା ମାଙ୍କ ଅନୁପସ୍ଥିତିକୁ ଅନୁଭବ ନକରେ ସେଥିପାଇଁ ବଡଭଉଣୀ ତା ଉପରେ ଓଜାଡି ଦେଉଛି ଅମାପ ସ୍ନେହ ମମତା । ନବଜାତ ଶିଶୁପୁତ୍ରକୁ ଜନ୍ମଦେବାର ୭ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ମା ଆଖି ବୁଜି ଦେଲା । କିଛି ଦିନ ପରେ ବାପା ବି କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଗଲେ । ଇଶ୍ବରଙ୍କର ଏ କି ବିଚିତ୍ର ଲୀଳା । ଦୁଇ କଅଁଳ ପିଲାଙ୍କୁ ବାପାମା ଛେଉଣ୍ତ କରିଦେଲା ଏ ନିଷ୍ଠୁର କରୋନା ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର ଏହି ହୃଦୟ ବିଦାରକ କାହାଣୀ ସମସ୍ତଙ୍କୁ ଭାବବିହ୍ବଳ କରିବାକୁ ବାଧ୍ଯ କରୁଛି । ମାତ୍ର କ୍ଷଣକ ମଧ୍ଯରେ ଉଜୁଡି ଗଲା ସୁନାର ସଂସାର । ମହାମାରୀ କରୋନାର କରାଳ ରୂପ ଭଜାଡ଼ି ଦେଉଛି ସୁନାର ସଂସାର, ଗାଁଠୁ ସହର ପର୍ଯ୍ଯନ୍ତ ସବୁଠି ଶୁଭୁଛି ଖାଲି ହାହାକାର ଶବ୍ଦ, ଏଭଳି ସମୟରେ ଡକାଡକି ହୋଇ ଆରପାରିକୁ ଚାଲିଗଲେ ସରକାରୀ ଡାକ୍ତରଖାନାର ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଥିବା ପତ୍ନୀ ସ୍ମିତା ପଣ୍ଡା( ୨୮ ) ଓ ରେଲୱେ କର୍ମଚାରୀ ସ୍ବାମୀ କମଳେଶ ପଣ୍ଡା( ୩୬ ), ବାପା – ମାଆ ଛେଉଣ୍ଡ ହୋଇଗଲେ ୭ ବର୍ଷର ଝିଅ ଏବଂ ଦେଢ଼ ମାସର ପୁଅ , ବାପା ମାଙ୍କ ମୃତ୍ଯୁ ପରେ ବଡ଼ ମା ଓ ବଡ଼ ବାପା ପାଖରେ ଲାଳନ ପାଳନ ହେଉଛନ୍ତି ଦୁଇ କଅଁଳ ଶିଶୁ ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟାଳୟର ସେଫ୍ଟି ଡିପାର୍ଟମେଣ୍ଟର କର୍ମଚାରୀ ) ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲା ବେଳେ ପତ୍ନୀ ସ୍ମିତା ପଣ୍ଡା କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଥିଲେ । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଥିଲେ କରୋନା ଯୋଦ୍ଧା | ନିଜ ଜୀବନକୁ ବାଜି ଲଗାଇ ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ଏହି ଦମ୍ପତ୍ତିଙ୍କର ଜଣେ ୭ ବର୍ଷର ଝିଅ ଥିବାବେଳେ ସ୍ମିତା ୯ ମାସର ଗର୍ଭବତୀ ଥିଲେ । ଗତ ଏପ୍ରିଲ ୧୫ ତାରିଖରେ ସ୍ମିତା କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥିତ କୋଭିଡ ହସ୍‌ପିଟାଲରେ ଭର୍ଭି କରାଯାଇଥିଲା । କୋଭିତ ହସ୍‌ପିଟାଲରେ ଭର୍ଭ ହେବାର ୭ ଦିନ ପରେ ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ତେବେ ନବଜାତ ଶିଶୁପୁତ୍ରଟି କରୋନା ନେଗେଟିଭ ରହିଥିଲା ବେଳେ ପୁଅ ଜନ୍ମ ହେବାର ୭ ଦିନ ପରେ କରୋନା ରେ ଆକ୍ରାନ୍ତ ଥିବା ସ୍ମିତା ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ।

ଫଳରେ ମାଆ ଛେଉଣ୍ଡ ଝିଅ ଏବଂ ନବଜାତ ଶିଶୁପୁତ୍ର କୁ ଧରି ସ୍ବାମୀ କମଳେଶ ଗାଁକୁ ଫେରିଥିଲେ । ତାଙ୍କ ବଡ଼ଭାଇ ଭାଉଜଙ୍କ ହାତରେ ପୁଅ , ଝିଅକୁ ଲାଳନପାଳନ ପାଂଇ ଟେକି ଦେଇଥିଲେ , ତେବେ ଗାଁକୁ ଫେରି କମଳେଶ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ନିଜର କରୋନା ପରୀକ୍ଷା କରାଇଥିଲା ବେଳେ ରିପୋର୍ଟ ନେଗେଟିଭ ଆସିଥିଲା । ମାତ୍ର ତାଙ୍କର କରୋନା ଲକ୍ଷଣ ଥିବା ଅନୁଭବ କରି ତୁରନ୍ତ ସେ ଭୁବନେଶ୍ବର ଫେରି ଯାଇ ସେଠାରେ ପୁଣି କରୋନା ପରୀକ୍ଷା କରାଇଥିଲେ , ସେଠାରେ କିନ୍ତୁ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ରେଲବାଇ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲୁଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଆଇସିୟୁରେ ରଖି ୧୫ ଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ଗତ ବୁଧବାର ସକାଳ ୫ଟା ୧୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା | ସ୍ତ୍ରୀ ସ୍ମିତାଙ୍କ ମୃତ୍ଯୁ ର କିଛି ଦିନ ପରେ ପୁଣି କମଲେଶ ଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ସେମାନଙ୍କ ଛୋଟ ଝିଅ , ପୁଅକୁ କେମିତି ଲାଳନ ପାଳନ କରିବେ ତାକୁ ନେଇ ବଡ଼ଭାଇ ଦେବାଶିଷ ଓ ମାମୁ ଘର ଲୋକ ଏବେ ବିବ୍ରତ ହୋଇପଡିଛନ୍ତି । ତେବେ ସରକାର ତୁରନ୍ତ ଦୁଇ ଅନାଥ ଶିଶୁଙ୍କ ଲାଳନ ପାଳନ ପାଂଇ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

You might also like

Leave A Reply

Your email address will not be published.