Odia news portal

ଆଜି ଶ୍ରୀକ୍ଷେତ୍ର ଭଉଁରୀ : ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀକ୍ଷେତ୍ର ଭଉଁରୀ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଭଉଁରୀ ଯାତରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ। ମହାପ୍ରଭୁଙ୍କର ଏହି ନିଆରା ଜଳକ୍ରୀଡ଼ା ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଏବଂ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ପ୍ରତ୍ୟହ ଜଳକ୍ରୀଡ଼ା କରୁଛନ୍ତି। ଚନ୍ଦନ ଯାତ୍ରାର ୨୦ତମ ଦିବସରେ ଭଉଁରୀ ଯାତ ହୋଇଥାଏ। ବାହାର ଚନ୍ଦନ ଯାତ୍ରାରେ ପ୍ରତ୍ୟହ ମହାପ୍ରଭୁ ଦିନ ଚାପରେ ଗୋଟିଏ ଘେରା ଏବଂ ରାତ୍ର ଚାପରେ ତିନିଘେରା ପରିକ୍ରମା କରିଥା’ନ୍ତି। କିନ୍ତୁ ଭଉଁରୀରେ ରାତ୍ର ଚାପରେ ମହାପ୍ରଭୁ ନରେନ୍ଦ୍ରରେ ୨୧ଘେରା ନୌବିହାର କରିଥାନ୍ତି। ୨୧ ଦିନରେ ହଳଦୀ ପାଣି ନୀତି ସମ୍ପନ୍ନ ହୁଏ। ଏହି ଦିନ କେବଳ ଦିନ ଚାପ ଅନୁଷ୍ଠିତ ହୋଇଥାଏ।

ଅପରପକ୍ଷେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭଉଁରୀ ଯାତ୍ରା ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ପ୍ରାତଃ ୩ଟାରେ ଶ୍ରୀମନ୍ଦିରର ଦ୍ୱାରଫିଟା ଯିବ। ୪ଟାରେ ମଙ୍ଗଳ ଆଳତି ସମ୍ପନ୍ନ ହେବ। ଏହାପରେ ଅନ୍ୟାନ୍ୟ ନୀତି ବଢ଼଼ି ସକାଳ ସାଢେ ୯ଟାରେ ରଥ ଆଜ୍ଞାମାଳ ବିଜେ ହେବ। ଅପରାହ୍ନ ୨ଟାରେ ମହାପ୍ରଭୁ ଚନ୍ଦନ ଯାତ୍ରା ଲାଗି ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ।

You might also like
Leave A Reply

Your email address will not be published.