Odia news portal

ଗୀତରେ ଗାଁ ସ୍ମୃତିକୁ ମନେ ପକାଇଲେ ଶ୍ରୋତା


ସମାଜ ଓ ସ˚ସ୍କୃତିର ୧୯ତମ ବାର୍ଷିକ ଉତ୍ସବ
ଭୁବନେଶ୍ବର : ‘ସମାଜ ଓ ସ˚ସ୍କୃତି’ର ୧୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର ସା˚ସ୍କୃତିକ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଗାଁ ଜୀବନ, ଗାଁ ଅନୁଭୂତି ଓ ଗାଁ ପରିବେଶକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ ଜଣାଶୁଣା କଣ୍ଠଶିଳ୍ପୀମାନେ ଚମତ୍କାର ଭାବେ ଗାଇଥିଲେ। ଗୀତଗୁଡ଼ିକ ଶ୍ରୋତାଙ୍କୁ ସମ୍ପୂର୍ଣ୍ଣ ଭାବେ ଗାଁ ସ୍ମୃତି ଭିତରେ ହଜାଇ ଦେଇଥିଲା।

ଲୋକପ୍ରିୟ ତଥା ଯୁବ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ବିଭୁକିଶୋର, ସୌରଭ ନାୟକ, ଶୈଳଭାମା, ଅଦ୍ୟାଶା, ଛନ୍ଦା ମିଶ୍ର, ଗିରିଜା ଦାଶ, ସତ୍ୟ ସାର୍ଥକ, ଦିବ୍ୟାଜ୍ୟୋତି, ଗୌତମ ଓ ଅଭିକ୍ଷା ପ୍ରମୁଖ ଗାଁ ପର‌ିବେଶ ଓ ଗାଁ ଅନୁଭୂତିକୁ ନେଇ ଲୋକପ୍ରିୟ ଗୀତଗୁଡ଼ିକ ପରିବେଷଣ କରିଥିଲେ। ଶ୍ରୀନିବାସ ଘଟୁଆରୀ ସଙ୍ଗୀତ ଆସରକୁ ସ˚ଯୋଜନା କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଗାଁ ପରିବେଶକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ମଞ୍ଚ।

ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ଡକ୍ଟର୍‌ ଅରୁଣ ସାହୁ। ବର୍ତମାନ ସାମାଜିକ ଓ ସା˚ସ୍କୃତିକ ଅବକ୍ଷୟ ରୋକିବାକୁ ସବୁ ସ୍ତରରେ ଉଦ୍ୟମ କରିବାକୁ ଶ୍ରୀ ସାହୁ ଆହ୍ବାନ ଦେଇଥିଲେ। ସହରୀ ଲୋକଙ୍କ ଭିତରେ ଗାଁ ଜୀବନକୁ ମନେ ପକାଇଦେବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପୂର୍ବତନ ବିଧାୟକ ସରୋଜ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମାଜ ଓ ସ˚ସ୍କୃତି’ର ସଭାପତି ନିଶିକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ଚୌଧୁରୀ ଅମିତାଭ ଦାସ ଓ ସମ୍ପାଦକ ଗିରିଜା ଶଙ୍କର ଦାଶ ଉପସ୍ଥିତ ଥିଲେ।

ଏହି ଅବସରରେ ଲେଖିକା ଅସୀମା ସାହୁଙ୍କୁ ‘ଈଶ୍ବର ଚନ୍ଦ୍ର ସାହିତ୍ୟ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ସମାଜସେବୀ ନୃପେଶ ନାୟକ ଓ ଉଦ୍ୟୋଗପତି ଶିବାଶିଷ ମିଶ୍ରଙ୍କୁ ‘ନବମ ଚନ୍ଦ୍ର ମାଧବ ମିଶ୍ର ସ୍ମୃତି ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା।

You might also like
Leave A Reply

Your email address will not be published.