Odia news portal

ବ୍ଲାକ୍ ମେଲିଂ କରୁଥିବା ଗୁଣିଆ ଗିରଫ

ଧାମନଗର : ଜଣେ ଗୁଣିଆଙ୍କ କଳାକାରନାମାର ପର୍ଦ୍ଦାଫାଶ ହୋଇଛି । ଝଡ଼ାଫୁଙ୍କା ବାହାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ ଗୁଣିଆକୁ ଗିରଫ କରିଛି । ସଂପୃକ୍ତ ଗୁଣିଆ ହେଉଛି ଧାମନଗର ବିଜ୍ଞାପିତ ଅଞ୍ଚଳର ପଠାଣମହଲ୍ଲା ଗ୍ରାମର ସେକ୍‌ ଆସିକୁର ରହେମାନ ଓରଫ ଆସିକ୍‌ ମୁଲସାବ୍‌(୩୫) ।

ଅଭିଯୋଗ ଅନୁସାରେ, ଧାମନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଫଳରେ ସଂପୃକ୍ତ ଯୁବତୀଙ୍କ ଆସିକ୍‌ ପାଖକୁ ଯାଇଥିଲେ । ତାଙ୍କୁ ଝଡ଼ାଫୁଙ୍କା କରିବା ଦ୍ୱାରା ତାଙ୍କର ଦେହ ଭଲ ହୋଇଯାଇଥିଲା । ପରେ ଯୁବତୀ ଜଣକ ଦ୍ୱିତୀୟ ଥର ପାଇଁ ତା’ ପାଖକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ଗୁଣି ଗାରେଡ଼ି ମାଧ୍ୟମରେ ଫସାଇ ତାଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିଥିଲା । ଶାରୀରିକ ସଂପର୍କରେ ବେଳେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ରଖି ବିଭିନ୍ନ ସମୟରେ ଯୁବତୀଙ୍କୁ ବ୍ଲାକ୍‌ ମେଲିଂ କରୁଥିଲା ।

ଏପରି ୬ମାସ ବିତିଯିବା ପରେ ଯୁବତୀ ଜଣକ ଉକ୍ତ ଗୁଣିଆକୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । ମାତ୍ର ଗୁଣିଆ ଆସିକ୍‌ ତାଙ୍କୁ ନାଲିଆଖି ଦେଖାଇ ମାରି ଦେବାକୁ ଧମକ ଦେଇଥିଲା । ତେବେ ନିରୁପାୟ ହୋଇ ଯୁବତୀ ଜଣକ ଗତକାଲି ଧାମନଗର ଥାନାରେ ଏତଲା ଦେଇଥିଲେ । ଏନେଇ ପୁଲିସ କେସ ନଂ. ୨୫୫/୨୧ରେ ମାମଲା ରୁଜୁ କରିଥିଲା । ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ମୋନାଲିସା ପ୍ରଧାନ ତଦନ୍ତ ଭାର ନେଇ ଅଭିଯୁକ୍ତ ଆସିକୁରକୁ ଗିରଫ କରି କୋର୍ଟଚଲାଣ କରିଛନ୍ତି । ତେବେ ଜାମିନ୍‌ ଆବେଦନ ଖାରଜ ହେବାରୁ ତାକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

You might also like

Leave A Reply

Your email address will not be published.

eleven − five =