Odia news portal

ଓଡ଼ିଶା, ହକି ଓ ଅଲମ୍ପିକ …

ଭୁବନେଶ୍ୱର : ‘ଓଡ଼ିଶା, ହକି, ଅଲମ୍ପିକ’ ଏହି ତିନିଟି ଶବ୍ଦର ପରସ୍ପର ମଧ୍ୟରେ ବେଶ ଘନିଷ୍ଟ ସମ୍ପର୍କ ଥିଲା ଭଳି ମତେ ମନେ ହୁଏ। ଈଶ୍ୱରଙ୍କ ଆଶୀର୍ବାଦ ଓ ମୋର କଠିନ ପରିଶ୍ରମ ଯୋଗୁଁ ପ୍ରଥମ ଥର ପାଇଁ ମତେ ୧୯୯୬ ମସିହାରେ ଆଟଲାଣ୍ଟା ଅଲମ୍ପିକରେ ଦେଶ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସିଡ଼ନୀ ଅଲମ୍ପିକ ଓ ୨୦୦୪ ମସିହାରେ ଏଥେଏନ୍ସ ଅଲମ୍ପିକରେ ଖେଳିବାର ସୁଯୋଗ ମିଳିଛି। ମୋ ସହ ଓଡ଼ିଶାର ଲାଜାରୁସ, ଇଗ୍ନେସ, ଉଇଲିୟମ ଭଳି ପ୍ରତିଭାବାନ ଖେଳାଳି ଦେଶ ପାଇଁ ଅଲମ୍ପିକ ଖେଳିବାର ଧାରାକୁ ଆଗକୁ ନେଲେ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଗୌରବମୟ ଯାତ୍ରା ଆଜି ମଧ୍ୟ ବଜାୟ ରହିଛି। ଟୋକିଓ ଅଲମ୍ପିକରେ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପ ଗ୍ରେସ ଏକ୍କା ଦେଶ ପାଇଁ ଖେଳିବେ ତେଣୁ ମୁଁ ବହୁତ ଖୁସି। ସେହିପରି ବିରେନ୍ଦ୍ର ଓ ଦୀପଗ୍ରେସଙ୍କୁ ଉପ ଅଧୀନାୟକର ଦାୟିତ୍ୱ ମଧ୍ୟ ମିଳିଛି। ଯାହା ଆମ ପାଇଁ ଗୌରବର କଥା।

ମୁଁ ଯେବେ ଖେଳରୁ ଅବସର ନେଲି ସେ ସମୟରେ ରାଜ୍ୟରେ ହକି ପାଇଁ ଭିତ୍ତିଭୂମିର ଅଭାବ ଥିଲା। ୨୦୦୮ରେ ଭାରତ ହକିରେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ ନକରିବା ଓ ଓଡ଼ିଶାର କୌଣସି ଖେଳାଳି ଅଲମ୍ପିକରେ ଭାଗ ନନେବା ମତେ ବେଶ ବ୍ୟଥିତ କରିଥିଲା। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ କିନ୍ତୁ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରୁ ରାଜ୍ୟରୁ ହକି ଅଲମ୍ପିଆନ ବାହାରିବେ କି ନାହିଁ ସେଥି ପାଇଁ ମୋ ମନରେ ସନ୍ଦେହ ଥିଲା। ଜଣେ ପୂର୍ବତନ ହକି ଖେଳାଳୀ ଭାବେ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବା ମୋର ଦାୟିତ୍ୱ। ଏଥି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିଛି ଓ ମୋର ଶେଷ ନିଶ୍ୱାଶ ଯାଏଁ ଚେଷ୍ଟା କରିବି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହକି ଖେଳ ପ୍ରତି ଭଲ ପାଇବା ମୋର ସବୁ ସନ୍ଦେହ ଦୂର କରିଦେଲା। ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶା ତଥା ହକିକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ବିଶ୍ୱ ହକିର ପ୍ରାଣକେନ୍ଦ୍ର। ଆଜି ଓଡ଼ିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ମୁଁ ଗର୍ବିତ। ହକି ବିଶ୍ୱକପ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେହିପରି ମୋ ନିଜ ଜିଲ୍ଲା ସୁନ୍ଦରଗଡ଼ର ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ହେଉଛି। ଭୁବନେଶ୍ୱର ସମେତ ରାଉରକେଲାରେ ୨୦୨୩ ମସିହାର ହକି ବିଶ୍ୱକପର ଅନେକ ମ୍ୟାଚ ସେଠାରେ ଆୟୋଜିତ ହେବ। ଜଣେ ସୁନ୍ଦରଗଡ଼ିଆ ତଥା ଓଡ଼ିଆ ହିସାବରେ ଏହା ମୋ ପାଇଁ ନିହାତି ଗର୍ବ ଓ ଗୌରବର ବିଷୟ।

ଆଜି ଅଲମ୍ପିକ ଦିବସ ଅବସରରେ, ଜଣେ ପୂର୍ବତନ ହକି ଅଲମ୍ପିଆନ ହିସାବରେ ୨୫-୩୦ ବର୍ଷ ପଛକୁ ଚାହେଁ, ତେବେ ୨୦୦୮ମସିହାର ବେଜିଂ ଅଲମ୍ପିକ ଦୁଃଖକୁ ଛାଡିଦେଲେ ଅଲମ୍ପିକରେ ଓଡ଼ିଶାର ହକି ଖେଳାଳୀଙ୍କ ଯୋଗଦାନ ସନ୍ତୋଷ ଜନକ ରହିଛି। ୨୦୧୬ ମସିହାରେ ବିରେନ୍ଦ୍ର ଲାକ୍ରା ଆହତ ସମସ୍ୟା ଯୋଗୁଁ ରିଓ ଅଲମ୍ପିକ ଖେଳି ପାରିନଥିଲେ, ତେଣୁ ଭାରତୀୟ ପୁରୁଷ ହକି ଦଳର କୌଣସି ଓଡ଼ିଆ ସ୍ଥାନ ନପାଇବା ମୋ ପାଇଁ ଆଉ ଏକ ଦୁଃଖର ବିଷୟ ଥିଲା।କିନ୍ତୁ ସେହି ବର୍ଷ ଦୀର୍ଘ ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ଓ ଓଡିଶାରୁ ୪ ଜଣ ସେହି ଦଳରେ ସ୍ଥାନ ପାଇବା ଆମ ରାଜ୍ୟ ପାଇଁ ଏକ ବିରାଟ ଉପଲବ୍ଧି ଥିଲା।

ଆଜି ରାଜ୍ୟରେ ଥିବା ହକି ଭିତ୍ତିଭୂମି ବିଶ୍ୱରେ ଶ୍ରେଷ୍ଟ। ଆଜି ରାଜ୍ୟରେ ତୃଣମୂଳ ସ୍ତରରେ ପ୍ରତିଭା ଅନ୍ୱେଷଣ ଓ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଭଳି କାର୍ଯ୍ୟ କରାଯାଉଛି ତାହା ବେଶ ପ୍ରଶଂସନୀୟ। ରାଜ୍ୟରେ ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ହକି ଇଣ୍ଡିଆ ମତେ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ନିଷ୍ଠାର ସହ ନିର୍ବାହ କରୁଛି ଓ କରିବି। ମୋର ବିଶ୍ୱାସ ଭାବିଷ୍ୟତରେ ଆମ ରାଜ୍ୟ ଆହୁରି ଅନେକ ହକି ଅଲମ୍ପିଆନ ସୃଷ୍ଟି କରିବ। ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଆହୁରି ବଢିବ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଯାତ୍ରା ନିରବିଚ୍ଛିନ୍ନ ଭାବେ ଆଗକୁ ବଢିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

You might also like

Leave A Reply

Your email address will not be published.

13 − 13 =