Odia news portal

କୁଆଡ଼େ ଗଲା ଫିଟ୍‌ନେସ୍‌ ଫତୁଆ ? ବ୍ୟାୟାମ୍‌ ହେଉନି.. କି କାର୍ଯ୍ୟାନୁଷ୍ଠାନ ନାହିଁ, ଘାତକ ସାଜିପାରେ କରୋନାର ଦ୍ୱିତୀୟ ଲହରୀ

ଭୁବନେଶ୍ୱର : ମାସେ ଦୁଇ ମାସ ବେଶ୍‌ ଝାଳ ବୁହାଇଲେ । ପରେ ଆପେ ପାଶୋରିଗଲେ । ଆଶା ଥିଲା, କରୋନାର ଦିତ୍ୱୀୟ ଲହର ବେଳକୁ ପୂରା ପୁଲିସ୍‌ ଫୋର୍ସ ଫିଟ୍‌ ହୋଇଯିବ । ସମସ୍ତଙ୍କ ବଡି ମାସ୍‌ ଇନ୍‌ଡେକ୍ସ (ବିଏମ୍‌ଆଇ) କଣ୍ଟା ୩୦ ତଳକୁ ରହିବ । ଯିଏ ଢ଼ିଲା ମାରିବ, ତଡ଼ା ଖାଇବ ।

ଗତବର୍ଷ କରୋନା କାଳରେ ଜାରି ହୋଇଥିବା କମିଶନରେଟ୍‌ ପୁଲିସର ଫିଟ୍‌ନେସ୍‌ ଫତୁଆରେ ଏକରକମର ବ୍ରେକ୍‌ ଲାଗିଛି । ୟା ଭିତରେ ପୁଲିସକୁ ମିଳିଥିବା ୩ ମାସର ମହଲତର ୩ ଗୁଣା ସମୟ ବିତିଯାଇଛି । କିନ୍ତୁ ପେଟୁଆ ପୁଲିସ୍‌ ବାଲାଙ୍କ ପେଟ କମିନି । ଓଲଟି ଆହୁରି ତଳକୁ ଓହଳିଛି । ସୁଗାର୍‌, ବ୍ଲଡ ପ୍ରେସର (ବିପି) ଭଳି ରୋଗୀ ତାଲିକାରେ ଅଳସୁଆ ଅଫିସରଙ୍କ ସଂଖ୍ୟା ବଢ଼ିଛି । କରୋନାର କୋପକୁ ଦେଖି ଗତ ଜୁଲାଇ ୧୭ରେ ଏକ ଗାଇଡ୍‌ଲାଇନ୍‌ ଜାରି ହେଲା । ଜୁଲାଇ ଶେଷ ସୁଦ୍ଧା ରକ୍ତଚାପ, ମଧୁମେହ ଓ ଅତ୍ୟଧିକ ମେଦ ଥିବା ପୁଲିସ ଅଫିସର ଓ ତଳିଆ କର୍ମଚାରୀଙ୍କୁ ବଛା ଯାଇଥିଲା । ୩୦ରୁ ଅଧିକ ବିଏମ୍‌ଆଇ ଥିବା ପୁଲିସଙ୍କୁ ୩ ମାସର ମହଲତ ମିଳିଲା । ସେମାନଙ୍କ ଜୀବନ ଶୈଳୀକୁ ବଦଳାଇ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସକାଳୁ ଶରୀରରେ ଝାଳ ବୁହାଇବାକୁ ପରାମର୍ଶ ଦିଆଗଲା।

ତତ୍‌କାଳୀନ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ଏହି ଦୀର୍ଘମିଆଦୀ ପ୍ଲାନ୍‌ ଧୀରେ ଧୀରେ ଫସର ଫାଟିଥିଲା । ନଭେମ୍ବର ମାସରେ ଏମାନଙ୍କ ମଧ୍ୟରୁ କେତେ ଜଣ ବିଏମ୍‌ଆଇ ୩୦ ତଳକୁ ଖସାଇଲେ, ତାହାର ତଥ୍ୟ ଦେଲାନି କମିଶନରେଟ୍‌ ପୁଲିସ୍‌ । କେତେଜଣ ଅନ୍‌ଫିଟ୍‌ ପୁଲିସ ୬ ସପ୍ତାହ ଅବଧିର ରିଫ୍ରେସର୍‌ କୋର୍ସରେ ଯୋଗ ଦେଲେ? ଆଉ କେତେ ଜଣ ଅମାନିଆ ପୁଲିସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା? ସେ ତଥ୍ୟ ମଧ୍ୟ ମିଳିଲାନି ।

ଏବେ ବି ଅନେକ ପୃଥୁଳକାୟ, ଅନ୍‌ଫିଟ୍‌ ପୁଲିସ ଅଫିସର ସହରରେ ନାକା ପଏଣ୍ଟ ଆଉ ବ୍ୟାରିକେଡ୍‌ରେ ଡ୍ୟୁଟି କରୁଛନ୍ତି । କରୋନା ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଏଥରର ଲହର ମଧୁମେହ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅଧିକ ଘାତକ ସାଜୁଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ତଥାପି ଅନ୍‌ଫିଟ୍‌ ପୁଲିସ ଅଧିକାରୀଙ୍କ ଫ୍ରଣ୍ଟଲାଇନ୍‌ ଡ୍ୟୁଟି ବିପଦକୁ ଡାକିପାରେ ।

ଟ୍ରେନିଂ ଚାଲୁଛି, ନାହାନ୍ତି ଅନ୍‌ଫିଟ୍‌

ନିର୍ଦ୍ଦେଶନାମାର କେଇଟା ଦିନ ଯାଏଁ କଳିଙ୍ଗ ଷ୍ଟାଡିୟମ ସାମ୍ନା ରିଜର୍ଭ ଅଫିସ୍‌ ପଡି଼ଆକୁ ଧାଇଁଲେ ଅନ୍‌ଫିଟ୍‌ ଅଫିସର । ବାଟାଲିଅନ ଯବାନଙ୍କ ସହ ଶାରୀରିକ ତାଲିମ୍‌ ଶିକ୍ଷା (ପିଇଟି) କ୍ଲାସ୍‌ରେ ବେଶ୍‌ ଝାଳ ବୁହାଇଲେ । ଏବେ ରିଜର୍ଭ ଗ୍ରାଉଣ୍ଡରେ ଶାରୀରିକ ତାଲିମ୍‌ ଦିଆଯାଉଛି, କିନ୍ତୁ ଆଗଭଳି ଆଉ ଅନ୍‌ଫିଟ୍‌ ପୁଲିସ ବାବୁଙ୍କ ଦେଖା ମିଳୁନି । କିଛି ନିଜ ଘରେ ଜିମ୍‌ ଉପକରଣ କିଣି ବ୍ୟାୟାମ କଲେ । କିନ୍ତୁ ପରେ ଉପରିସ୍ଥ ଅଧିକାରୀଙ୍କ ଢ଼ିଲାପଣ ଦେଖି ସେମାନେ ବି ନରମିଯାଇଛନ୍ତି ।

You might also like

Leave A Reply

Your email address will not be published.