Odia news portal

ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସହାୟତା, ଭଙ୍ଗା ଅଜରା ଘରେ କଟୁଛି ଜୀବନ

ଅନୁଗୁଳ : ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସହାୟତା। ସରପଞ୍ଚଙ୍କ ନିକଟରେ ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ସୁଫଳ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଥାଟିମୁଣ୍ଡା ଗ୍ରାମର ଚିତ୍ରସେନ ପ୍ରଧାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ। ବୟସ ୭୦ ଟପିଲାଣି। ଭିନ୍ନକ୍ଷମ ଭତ୍ତା ତ ଦୂରର କଥା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁନାହିଁ। ଏନେଇ ସରପଞ୍ଚଙ୍କୁ ଗୁହାରୀ କଲେ ମଧ୍ୟ ଶୁଣୁ ନାହାଁନ୍ତି ସରପଞ୍ଚ।

କିଆକଟା ପଞ୍ଚାୟତ ଥାଟିମୁଣ୍ଡା ଗ୍ରାମର ଚିତ୍ରସେନ ପ୍ରଧାନ ପୋଲିଓ ଆକ୍ରାନ୍ତ ହୋଇଥିବାରୁ ୩୦ ବର୍ଷ ବୟସରେ ଡାହାଣ ଗୋଡଟି ଅକର୍ମଣ୍ୟ ହୋଇଯାଇଛି। ସ୍ତ୍ରୀ ମଧ୍ୟ ହାତ ଛାଡି ଆରପାରିକୁ ଚାଲିଗଲେଣି। ଝିଅକୁ ୫ ବର୍ଷ ହୋଇଥିବା ବେଳେ ଆଶ୍ରମରେ ଛାଡି ଦେଇଛନ୍ତି। ସରକାରୀ ସହାୟତା କହିଲେ ଚିତ୍ରସେନଙ୍କୁ ଇନ୍ଦିରା ଆବାସ ଖଣ୍ଡିଏ ମିଳିଥିଲା। ତାହା ମଧ୍ୟ ଭାଙ୍ଗିରୁଜି ଗଲାଣି। ଏଭଳି ଅବସ୍ଥାରେ ସାହି ପଡୋଶୀଙ୍କ ସହାୟତାରେ ଦିନ କାଟୁଛନ୍ତି ଚିତ୍ରସେନ।

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଚିତ୍ରସେନ ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରପଞ୍ଚ ଶୁଣୁ ନାହାଁନ୍ତି। ତେବେ ଏହି ଅସହାୟ ବ୍ୟକ୍ତିଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ବିଡିଓ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଚିତ୍ରସେନଙ୍କୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ମତ୍ତ ପ୍ରକାଶ କରିଛନ୍ତି। ସେପଟେ ଏନେଇ ଆଠମଲ୍ଲିକ ଉପଜିଲ୍ଲାପାଳ ଲଲିତମୋହନ ବେହେରା କହିଛନ୍ତି ଯେ, ଚିତ୍ରସେନଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ କରାଇ ତାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେ ଆଠମଲ୍ଲିକ ବିଡିଓଙ୍କୁ କହିବେ। ତେବେ ଚିତ୍ରସେନଙ୍କୁ କେବେ ମିଳିବ ସରକାରୀ ସହାୟତା ତାହା ଦେଖିବାକୁ ବାକି ରହିଲା।

You might also like

Leave A Reply

Your email address will not be published.

20 − 17 =