ନୂତନ ଫୈ।ଜଦାରୀ ଆଇନ୍ ର କାର୍ଯ୍ୟକାରିତା ସ୍ଥଗିତ ରଖିବାକୁ ଦାବିରେ ନାଗରିକ ପ୍ରତିବାଦ
ଭୁବନେଶ୍ୱର : ଆଜି ଠାରୁ ଅର୍ଥାତ ୧ ଜୁଲାଇ,୨୦୨୪ ଠାରୁ ଭାରତ ସରକାର ସାରା ଦେଶରେ ନୂତନ ଅପରାଧିକ ଆଇନ୍ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି, ଯାହା ମାନବିକ ଅଧିକାର ଉଲ୍ଲଙ୍ଘନ ପାଇଁ ସରକାରଙ୍କ ହାତରେ ଏକ ଅସ୍ତ୍ର ବୋଲି ଅଭିଯୋଗ କରି ଏହି ଆଇନ୍ ଲାଗୁ କରିବା ପୂର୍ବରୁ ପାର୍ଲିଆମେଣ୍ଟର ଉଭୟ ଗୃହରେ ଏବଂ ସାରା ଦେଶରେ ବିତର୍କ କରିବାକୁ ଦାବି କରାଯାଇଛି। ଅର୍ଥାତ୍ ପୂର୍ବରୁ ଚାଲି ଆସୁଥିବା ଫୈ।ଜଦାରୀ କାଯ୍ୟବିଧି ଆଇନ୍ -୧୯୭୩, ଭାରତୀୟ ଦଣ୍ଡବିଧି ଆଇନ୍-୧୮୬୦ ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍-୧୮୭୨ ପରିବର୍ତ୍ତେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ଭାରତୀୟ ନ୍ୟାୟ ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ ସାରା ଦେଶରେ କାର୍ଯ୍ୟକାରୀ ହେବ ।
ଯଦିଓ ଔପନିବେଶିକ ଆଇନର ପରିବର୍ତ୍ତନ କରାଯାଇ ଆଇନର ଭାରତୀୟ କରଣ କଥା କୁହାଯାଇଛି, କିନ୍ତୁ ବାସ୍ତବରେ ଏହା ନୂଆ ବୋତଲରେ ପୁରୁଣା ମଦ କହିଲେ ଅତ୍ୟୁକ୍ତି ହେବନାହିଁ ଏବଂ କେବଳ ଆଇନର ଧାରାଗୁଡିକର ସଂଖ୍ୟାକୁ ଏପଟସେପଟ କରି ପରିବର୍ତ୍ତନ କରାଯାଇଛି। ଏପରିକି ଅନେକ ଔପନିବେଶିକ ଆଇନର ନାମ ପରିବର୍ତ୍ତନ କରାଯାଇ ଏହାକୁ ଆହୁରି ଅମାନବୀୟ ଭାବେ ପ୍ରୟୋଗ କରିବା ପାଇଁ ଏହି ଆଇନ୍ ରେ ପୋଲିସ୍ କୁ ଅମାପ କ୍ଷମତା ଦିଆଯାଇଛି । ଯାହା ଦେଶରେ ମାନବିକ ଅଧିକାର ଏବଂ ନାଗରିକ ସ୍ୱାଧୀନତା ଦୃଷ୍ଟିରୁ ଅତ୍ୟନ୍ତ କ୍ଷତିକାରକ ଅଟେ । ଦେଶର ପାର୍ଲିଆମେଣ୍ଟରେ ଆଲୋଚନା ନକରି ଆବଶ୍ୟକ ବିଚାର ଓ ବିତର୍କ ବିନା ଏହାକୁ ଦେଶର ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଛି ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ନାଗରିକ ପ୍ରତିବାଦରେ ଅଭିଯୋଗ କରାଯାଇଛି। ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ସମୁହ ପକ୍ଷରୁ ନୂତନ ଅପରାଧିକ ଆଇନ୍ କାର୍ଯ୍ୟକାରୀକୁ ସ୍ଥଗିତ ରଖିବା, ଆଇନ୍ ସଂପର୍କରେ ପାର୍ଲ୍ୟାମେଣ୍ଟ୍ ସମେତ ଦେଶବ୍ୟାପୀ ବିତର୍କ, ଆଇନ୍ କାର୍ଯ୍ୟକାରୀ କରିବା ପୂର୍ବରୁ ପୋଲିସ୍ ଓ ନ୍ୟାୟ ପାଳିକା ବ୍ୟବସ୍ଥାର ଆବଶ୍ୟକ ସଂସ୍କାର ଦାବିରେ ଆଜି ଭୁବନେଶ୍ୱର ରେ ଏକ ନାଗରିକ ପ୍ରତିବାଦ ଆୟୋଜିତ ହୋଇଯାଇଛି।
ଦେଶଦ୍ରୋହର ଅପରାଧ (ଆଇପିସିର ଧାରା ୧୨୪କ) କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଅନୁଯାୟୀ, ଏକ ନୂତନ ନାମକରଣ କରି ଏଥିରେ ଅଧିକ କଠୋର ଦଣ୍ଡବିଧାନ ରଖାଯାଇଛି। ଦେଶଦ୍ରୋହ ଆଇନ୍ କୁ ଉଚ୍ଛେଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ଥାନ ନଥିବା ଏହି କଳା କାନୁନ୍ କୁ ଏପରି ବ୍ୟବସ୍ଥିତ କରି ରଖାଯାଇଛି, ଯାହା ଗଣତାନ୍ତ୍ରିକ ପ୍ରତିବାଦ ଓ ପ୍ରତିରୋଧକୁ ଅଧିକରୁ ଅଧିକ ଅପରାଧୀ କରଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରତିବାଦକାରୀ ମାନେ କହିଛନ୍ତି।
ସେହିପରି ପୂର୍ବରୁ ଜରୁରୀକାଳୀନ ପରିସ୍ଥିତିରେ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ୟୁଏପିଏ ଅଭିପ୍ରେତ ଥିବା ବେଳେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ମଧ୍ୟରେ ବେଆଇନ୍ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) କୁ ସ୍ଥାନିତ କରି ସାଧାରଣ ଲୋକଙ୍କୁ ମଧ୍ୟ ଏହି ଆତଙ୍କବାଦ କାର୍ଯ୍ୟକଳାପ ପରିସର ମଧ୍ୟକୁ ଅଣାଯାଇଛି । ଅନ୍ୟପକ୍ଷରେ ମୂଳ ଆଇନରେ ଥିବା ଦୁଇଟି ସୁରକ୍ଷା ବ୍ୟବସ୍ଥା ଯଥା, ଦୋଷୀ ସାବ୍ୟସ୍ତ ଓ ମକଦ୍ଦମା ଅନୁମୋଦନ ହେବା ପୂର୍ବରୁ ପ୍ରମାଣକୁ ଅନୁଧ୍ୟାନ କରିବା ପାଇଁ ଏକ ସ୍ୱାଧୀନ ପ୍ରାଧିକରଣ ଗଠନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହି ଆଇନରେ ଅନ୍ୟ ଏକ ଉଦବେଗଜନକ ବିଷୟ ହେଉଛି ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୬, ଯାହା କୌଣସି ସରକାରୀ କର୍ମଚାରୀଙ୍କୁ ତାଙ୍କ ସରକାରୀ କର୍ତ୍ତବ୍ୟ ପାଳନ କରିବାକୁ ବାଧ୍ୟ କିମ୍ବା ବାରଣ କରିବା ଉଦ୍ଦେଶ୍ୟରେ ଆତ୍ମହତ୍ୟା ଉଦ୍ୟମକୁ ଅପରାଧ ଭାବରେ ବିବେଚନା କରିବ। ଏହି ଅଭିଯୋଗରେ ଏକ ବର୍ଷ ପର୍ଯ୍ୟନ୍ତ ସରଳ କାରାଦଣ୍ଡ, ଦଣ୍ଡ ସହିତ ଜୋରିମାନା କିମ୍ବା ଗୋଷ୍ଠୀ ସେବା ରହିଛି | ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ବିରୋଧ ପାଇଁ ଲୋକଙ୍କ ଅଧିକାରକୁ ଲକ୍ଷ୍ୟ କରି ଏହି ଆଇନ୍ ବ୍ୟବସ୍ଥାରେ ମହାତ୍ମାଗାନ୍ଧୀ ଆମରଣ ଅନଶନ ତଥା ସତ୍ୟାଗ୍ରହକୁ ନିଷିଦ୍ଧ କରାଯାଇଛି । ସିଏ ମହାତ୍ମା ଗାନ୍ଧୀ ହୁଅନ୍ତୁ କିମ୍ବା ଭଗତ୍ ସିଂହ ହୁଅନ୍ତୁ, ଗଣଧାରଣା , ଗଣ ସତ୍ୟାଗ୍ରହ, ଆମରଣ ଅନଶନ ହେଉଛି ଅସନ୍ତୋଷ ଏବଂ ପ୍ରତିରୋଧର ଗଣତାନ୍ତ୍ରିକ ରୂପ, ଏବଂ ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଆତ୍ମା ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେମାନେ ଦର୍ଶାଇଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଆଇନ୍ ବ୍ୟବସ୍ଥାରେ ପୋଲିସ୍ କୁ ବର୍ଦ୍ଧିତ ମନମୁଖୀ ଶକ୍ତି ପ୍ରଦାନ କରାଯାଇଛି, ଯାହା ଦେଶରେ ନାଗରିକ ସ୍ୱାଧୀନତା ଏବଂ ମାନବିକ ଅଧିକାର ଉପରେ ପ୍ରଭାବ ପକାଇବ । ଭାରତୀୟ ନାଗରିକ ନ୍ୟାୟ ସଂହିତାର ଧାରା ୧୭୨, ଏକ ନୂତନ ବ୍ୟବସ୍ଥା ଉପସ୍ଥାପିତ କରାଯାଇଛି,ଯାହା ସିଆର୍.ପି.ସି ରେ ରେ ନାହିଁ । ଏହି ବ୍ୟବସ୍ଥା ଅନୁଯାୟୀ, ସମସ୍ତ ବ୍ୟକ୍ତି ତାଙ୍କର କୌଣସି କର୍ତ୍ତବ୍ୟ ପୂରଣ କରିବା ପାଇଁ ଜଣେ ପୋଲିସ ଅଧିକାରୀଙ୍କ ଆଇନଗତ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ବାଧ୍ୟ ଅଟନ୍ତି । ଅପରପକ୍ଷରେ ପୋଲିସ ଅଧିକାରୀଙ୍କୁ ଏପରି ଆଦେଶକୁ ପ୍ରତିରୋଧ, ମନା, ଅବହେଳା, ଅବମାନନା କରିବା କିମ୍ବା ଅବରୋଧ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି। ଆହୁରି ମଧ୍ୟ ସେ “ହୁଏତ ଏପରି ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଇ ପାରନ୍ତି କିମ୍ବା ପରିସ୍ଥିତିର ଗମ୍ଭୀରତା ଦେଖି ତାଙ୍କୁ ଚବିଶ ଘଣ୍ଟା ମଧ୍ୟରେ ଯଥାଶୀଘ୍ର ମୁକ୍ତ କରିପାରନ୍ତି” | ତେଣୁ ଗିରଫଦାରୀର ସୁରକ୍ଷା ବ୍ୟବସ୍ଥା ପାଳନ ନକରି ବ୍ୟକ୍ତିବିଶେଷଙ୍କୁ ଅଟକ ରଖିବା ପାଇଁ ପୋଲିସକୁ ଆଇନଗତ ମଞ୍ଜୁରୀ ଦିଆଯାଇଛି, କାରଣ ଏହାକୁ ଗିରଫ ବୋଲି ଧରାଯିବ ନାହିଁ।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୩୭, ଉଭୟ ପୋଲିସ୍ ଷ୍ଟେସନ ଏବଂ ଜିଲ୍ଲା ମୁଖ୍ୟାଳୟରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ, ଠିକଣା ଏବଂ ଅପରାଧର ପ୍ରକୃତି ସଂପର୍କରେ ଉଭୟ ଶାରୀରିକ ତଥା ଡିଜିଟାଲ୍ ଭାବରେ “ବୈଶିଷ୍ଟ୍ୟ ପ୍ରଦର୍ଶନ” କୁ ନିର୍ଦ୍ଦେଶ ଦେଇଥାଏ । ଏହା ବ୍ୟକ୍ତିର ଗୋପନୀୟତା ଓ ମାନବିକ ସମ୍ମାନର ଅଧିକାରକୁ ଉଲ୍ଲଂଘନ କରିବା ସହିତ କୌଣସି ଆନୁଷ୍ଠାନିକ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ପୋଲିସ୍ ଦ୍ୱାରା ବ୍ୟକ୍ତିବିଶେଷଙ୍କୁ ସହଜ ଶିକାର ବନାଇ ପାରିବ। ସେହିପରି ନାଗରିକ ସୁରକ୍ଷା ସଂହିତା ଧାରା ୪୩(୩) ଅନୁଯାୟୀ ଅଭିଯୁକ୍ତଙ୍କୁ ହାତକଡା ପକାଇ ତାହାର ଭିଡିଓଗ୍ରାଫ୍ କରିବା, ଯାହା ଅତ୍ୟନ୍ତ ଅଯୈ।କ୍ତିକ ଏବଂ ଅମାନବୀୟ ଅଟେ । ଏହି ବ୍ୟବସ୍ଥା ପୂର୍ବରୁ ଏପରିକି ତଥାକଥିତ ଔପନିବେଶିକ ଆଇନ୍ ରେ ନଥିଲା ବେଳେ ତଥାକଥିତ ଭାରତୀୟକରଣ ନ୍ୟାୟ ବ୍ୟବସ୍ଥାରେ ଏହାକୁ ସ୍ଥାନିତ କରାଯାଇଛି।
ପୂର୍ବରୁ ସିଆର.ପି.ସି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ତଦନ୍ତ ସମାପ୍ତ ନହେଲେ ନ୍ୟାୟାଳୟର ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କୁ ସର୍ବାଧିକ ୧୫ ଦିନ ପର୍ଯ୍ୟନ୍ତ ପୋଲିସ୍ ହେପାଜତକୁ ନେବାପାଇଁ ପ୍ରାବଧାନ ରହିଥିଲା । କିନ୍ତୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୮୭ ଅନୁଯାୟୀ ଜଣେ ଅଭିଯୁକ୍ତ ନ୍ୟାୟାଳୟର ହେପାଜତକୁ ଯିବା ପରେ ମଧ୍ୟ ଅପରାଧ ଅନୁଯାୟୀ ଚାର୍ଜସିଟ୍ ଦାଖଲର ୪୦ ରୁ ୬୦ ଦିନ ମଧ୍ୟରେ ପୋଲିସ୍ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ୧୫ ଦିନ ପାଇଁ ନିଜ ହେପାଜତକୁ ନେଇପାରିବ। ଯାହା ଫଳରେ ତଦନ୍ତ ଆଳରେ ବିନା ବିଚାରରେ ଜଣେ ଅଭିଯୁକ୍ତ ପୋଲିସ୍ ହେପାଜତରେ ରହି ଶାରୀରିକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଉକ୍ତ ସମୟ ସୀମା ମଧ୍ୟରେ ତାଙ୍କୁ ଜାମିନ୍ ମିଳି ପାରିବ ନାହିଁ, ଯାହା ବ୍ୟକ୍ତି ସ୍ୱାଧୀନତା ତଥା ସାମ୍ବିଧାନିକ ମୈାଳିକ ଅଧିକାରର ସ୍ପଷ୍ଟ ଉଲଂଘନ କହିଲେ ଅତ୍ୟୁକ୍ତି ହେବନାହିଁ। ଯେତେବେଳେ ଔପନିବେଶିକ ପୋଲିସ୍ ବ୍ୟବସ୍ଥା ଯୋଗୁଁ ପୋଲିସ୍ ନିର୍ଯ୍ୟାତନା, ହାଜତ ମୃତ୍ୟୁ, ମିଛ ଏନକାଉଁଣ୍ଟର ଭଳି ଘଟଣା ପୋଲିସ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଥାଏ, ସେତେବେଳେ ପୋଲିସକୁ ଏପରି ନିରଙ୍କୁଶ କ୍ଷମତା ପ୍ରଦାନ କାହିଁକି ବୋଲି ଜନମାନସରେ ପ୍ରଶ୍ନ ଉଠିବା ସ୍ୱଭାବିକ।। ନିର୍ଦ୍ଦିଷ୍ଟ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତାର ଧାରା ୨୩ ଅନୁଯାୟୀ ‘ସଂପ୍ରଦାୟ ବା ଗୋଷ୍ଠୀ ସେବା’ କୁ ଦଣ୍ଡବିଧାନ ଭାବରେ ରଖାଯାଇଛି । କିନ୍ତୁ ଯେଉଁଠି ‘ସଂପ୍ରଦାୟ ବା ଗୋଷ୍ଠୀ ସେବା’ ର ସଜ୍ଞା ଅସ୍ପଷ୍ଟ ଅଟେ, ସେଠାରେ ମାଜିଷ୍ଟ୍ରେଟଙ୍କ ବ୍ୟକ୍ତିଗତ ଇଚ୍ଛାଧୀନ ବିଷୟ ଭାବରେ ଏହି ଧାରାର ଗୁରୁତର ଅପବ୍ୟବହାର ହେବାର ସମ୍ଭାବନା ରହିଛି।
ଏହି ପରିପ୍ରେକ୍ଷୀରେ ଭାରତୀୟ ନ୍ୟାୟ ସଂହିତା -୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା -୨୦୨୩ କାର୍ଯ୍ୟକାରୀ କରିବା ପୂର୍ବରୁ ପାର୍ଲିଆମେଣ୍ଟର ଉଭୟ ଗୃହରେ ଏ ସଂକ୍ରାନ୍ତରେ ବ୍ୟାପକ ବିତର୍କ କରିବାକୁ ପ୍ରତିବାଦ କାରୀ ମାନେ ଦାବି କରିଛନ୍ତି।
ସେହିପରି ନୂଆ ଅପରାଧିକ ଆଇନ୍ ସଂପର୍କରେ ଆଇନଜୀବୀ, ବର୍ତ୍ତମାନର ଓ ପୂର୍ବତନ ବିଚାରପତି, ଆଇନ୍ ଛାତ୍ର, ଆଇନ୍ ବିଶାରଦଙ୍କ ସମେତ ବିଭିନ୍ନ ବର୍ଗର ନାଗରିକ ସମାଜ ଓ ରାଜନୈତିକ ଦଳ ମାନଙ୍କର ପ୍ରତିନିଧି ଓ ସଂଗଠନ ମାନଙ୍କ ମଧ୍ୟରେ ବ୍ୟାପକ ବିଚାର ଆଲୋଚନା କରିବାକୁ ମଧ୍ୟ ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ ନୂଆ ଅପରାଧିକ ଆଇନ୍ କାର୍ଯ୍ୟକାରୀ କରିବା ପୂର୍ବରୁ ଔପନିବେଶିକ ମାନସିକତା ଦ୍ବାରା ପରିଚାଳିତ ପୋଲିସ୍ ବ୍ୟବସ୍ଥା ଓ ନ୍ୟାୟପାଳିକା ଗୁଡ଼ିକରେ ଆବଶ୍ୟକୀୟ ସଂସ୍କାର କରିବା ଏବଂ
ଦେଶଦ୍ରୋହ, ୟୁଏପିଏ, ମନି ଲଣ୍ଡରିଂ ଆଇନ୍, ସଶସ୍ତ୍ର ବଳ ବିଶେଷାଧିକାର ଆଇନ୍ ଭଳି ଜନବିରୋଧୀ ଆଇନ୍ ଗୁଡ଼ିକୁ ଉଚ୍ଛେଦ କରିବାର ଆବଶ୍ୟକତା ଉପରେ ଜାତୀୟ ବିତର୍କ କରିବାକୁ ବିଭିନ୍ନ ମାନବାଧିକାର ସଂଗଠନ ଓ ରାଜନୈତିକ ଗଣ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଇଛି।
ଆଜିର ଏହି ପ୍ରତିବାଦରେ ବିଭିନ୍ନ ମାନବାଧିକାର ତଥା ରାଜନୈତିକ ଗଣ ସଂଗଠନ ମାନଙ୍କ ପକ୍ଷରୁ ବିଶ୍ୱପ୍ରିୟ କାନୁନଗୋ, ନରେନ୍ଦ୍ର ମହାନ୍ତି, ଜ୍ୟୋତି ରଂଜନ ମହାପାତ୍ର, ମହେନ୍ଦ୍ର ପରିଡ଼ା, ସୁରେଶ ପାଣିଗ୍ରାହୀ, ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ଦେବପ୍ରସାଦ ରାୟ, ପ୍ରମିଳା, ଡକ୍ଟର ସୁମିତ୍ରା ପଟେଲ, ହେନାରାଣୀ , ନିରଞ୍ଜନ ମହାନ୍ତି, ବିଶ୍ୱନାଥ ପାତ୍ର, ବଂଶୀଧର ପରିଡ଼ା, ଦେବ ରଞ୍ଜନ, ଶ୍ରୀମନ୍ତ ମହାନ୍ତି, ଲକ୍ଷ୍ମୀ ଦୋରା, ସସ୍ମିତା ଜେନା, ପ୍ରଶାନ୍ତ ପାଇକରାୟ, ରାକେଶ କାନୁନଗୋ, ବିଜୟ ପଣ୍ଡା ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ।