Odia news portal

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି : ବିଜେଡି

ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜିତିଥିବା ଓଡ଼ିଶାକୁ ଅଣଦେଖା

ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସିନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ସାଂସଦମାନେ ମୁହଁ ଖୋଲନ୍ତୁ, ଦେଲେ ୫ ହଜାର, ଲେଖିଲେ ୫୦ ହଜାର; ପ୍ରତାରଣା ନୁହେଁ ତ ଆଉ କ’ଣ ?

ଭୁବନେଶ୍ୱର : ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରି ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଶ୍ରୀଯୁକ୍ତ ଦାସବର୍ମା କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରିଆସୁଛି । ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଆମ ସ୍ୱର ଉତ୍ତୋଳନ କରିଆସୁଛୁ । ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ଆମ ଦାବିକୁ କେବଳ ଉପସ୍ଥାପନା କରାଯାଇନି, ଓଡ଼ିଶା ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସର୍ବଦଳୀୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରୁ ବିଜେପି ସରକାର ୨୧ରୁ ୨୦ ସାଂସଦ ହାସଲ କରିଥିବା ବେଳେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ । ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଜଳ ଜଳ ହୋଇ ଦେଖାଯାଉଛି । ଆଜି ଭାରତବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଛନ୍ତି ଗଲା ୧୦ ବର୍ଷ ଧରି ଓଡ଼ିଶାକୁ ପର୍ଯ୍ୟାପ୍ତ ସହାୟତା ଦିଆଯାଇଛି । କିନ୍ତୁ ଏଠି ସ୍ପଷ୍ଟତାର ସହ ଆମେ କହିରଖିବାକୁ ଚାହୁଁ, ମାନ୍ୟବର କୋଇଲା ଓ ଖଣିଜ ସମ୍ପଦ ମନ୍ତ୍ରୀ କୋଇଲା ରୟାଲିଟି ସଂଶୋଧନ ସମ୍ପର୍କରେ ସଂସଦର ପ୍ରଶ୍ନ କାଳରେ କହିଛନ୍ତି, ଶେଷଥର ପାଇଁ ୧୦.୦୫.୨୦୧୨ ମସିହାରେ କୋଇଲା ରୟାଲିଟି ଦର ସଂଶୋଧିତ ହୋଇଥିଲା ଏବଂ ଗତ ୧୨ ବର୍ଷ ଧରି କୋଇଲାର ଦର ସଂଶୋଧନ ନ ହେବା ଫଳରେ ଓଡ଼ିଶା ସରକାର ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ପୂର୍ବାଞ୍ଚଳ କାଉନସିଲ୍ ବୈଠକରେ କୋଇଲାର ରୟାଲିଟି ସଂଶୋଧନ କରି ୧୪%ରୁ ୨୦% କରିବା ପାଇଁ ଦାବି କରିଆସିଛନ୍ତି ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ୩ ବର୍ଷରେ ରୟାଲିଟି ସଂଶୋଧନ ହେବାର ଥିଲାବେଳେ ଏହାକୁ ଅଣଦେଖା କରାଯାଇଛି । ଏହାଫଳରେ ଓଡ଼ିଶା ପ୍ରଭୁତ୍ତ କ୍ଷତି ସହିଛି । ସେ ଆହୁରି କହିଥିଲେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡିପୀଠ ଚଳିତବର୍ଷ ଜୁଲାଇ ୨୪ ଓ ଅଗଷ୍ଟ ୧୪ ତାରିଖରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟର ଖଣିଜ ଅଞ୍ଚଳ ଓ ଖଣିଜ ସମ୍ପଦ ଉପରେ ସେସ୍ ଓ ଟିକସ ଲଗାଇ ପାରିବେ ଏବଂ ୨୦୦୫ ମସିହା ଠାରୁ ଆଜିପର୍ଯ୍ୟନ୍ତ ବକେୟା ରାଜସ୍ୱ ଖଣି ମାଲିକଙ୍କ ଠାରୁ ବିନା ସୁଧରେ ଆଦାୟ କରିପାରିବେ । ଓଡ଼ିଶାରେ ଦେଶର ସମୁଦାୟ ଖଣିଜ ଉତ୍ପାଦନର ୫୦ ଭାଗରୁ ଊର୍ଦ୍ଧ୍ୱ ଥିଲାବେଳେ, ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଓଡ଼ିଶା ସରକାର ବକେୟା ଦେୟ ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଖଣିଜ ସେସ୍‌ରୁ ଅତିକମ୍‌ରେ ୫୦ ହଜାର କୋଟି ଟଙ୍କା ପାଇପାରିବେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଯୋଗୁଁ ଓଡ଼ିଶା ସବୁଠାରୁ ଅଧିକ କ୍ଷତି ସହିବ । ଆମର ଦାବି ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିଭ୍ୟୁ ପିଟିସନକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡ଼ିଶାର ଦୀର୍ଘଦିନର ଦାବି ପୂରଣରେ ସହାୟକ ହୁଅନ୍ତୁ ।

ଗଲା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ୧୫ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବ । ବାରମ୍ବାର ‘ଫନି’, ‘ଫାଇଲିନ୍‌’ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଆମ ରାଜ୍ୟରେ ପକ୍କା ଘର ନିର୍ମାଣ ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କ ତରଫରୁ ୪୨ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କୌଣସି ସ୍ପଷ୍ଟତା ରଖିନାହାନ୍ତି ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଚେକ୍‌ରେ ବଡ଼ ବଡ଼ ଅକ୍ଷରରେ ୫୦ ହଜାର ଟଙ୍କା ଲେଖାଯାଇଥିବା ବେଳେ ତଳେ ଛୋଟ ଅକ୍ଷରରେ ୫ ବର୍ଷରେ ପାଇବେ ବୋଲି ଲେଖାଯାଇଥିଲା । ଦେଲେ ୫ ହଜାର, ଲେଖିଲେ ୫୦ ହଜାର । ୫ ହଜାର ଦେଇ ୫୦ ହଜାର ଲେଖିବାର ଅଭିପ୍ରାୟ ପ୍ରତାରଣା ନୁହେଁ ତ ଆଉ କ’ଣ ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଲାଭବାନ ହେବେ ବୋଲି କହିଥିଲେ, ଯାହାର ଅର୍ଥ ରାଜ୍ୟର ପ୍ରାୟ ୨ କୋଟି ମହିଳା ଭିତରୁ ଅଧିକାଂଶ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି । ସେହିପରି ଅଙ୍ଗନବାଡ଼ି, ଆଶାକର୍ମୀ, ସିଆରପି, ଏମବିକେ ଭାବେ କାର୍ଯ୍ୟରତ ମହିଳାମାନେ ଏହି ଯୋଜନାରୁ ସୁଫଳ ପାଇବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୋଟିଏ ପଟେ ଏହି ମହିଳାମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲେ ହେଁ ସୁଭଦ୍ରାର ନିର୍ଦ୍ଦେଶାବଳୀରେ ମାସିକ ୧୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାରକ୍ଷମ ମହିଳାମାନେ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଙ୍ଗନବାଡ଼ି, ଆଶାକର୍ମୀ, ସିଆରପି, ଏମବିକେ ମାନଙ୍କର ଭୂମିକା ରହିଛି । ତେଣୁ ଯଦି ସେମାନେ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୁଅନ୍ତି, ତା’ହେଲେ ଏହା ତାଙ୍କ ପ୍ରତି ପ୍ରଚାରଣା ସଦୃଶ ହେବ । ତେଣୁ ସରକାର ଏ ବିଷୟକୁ ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତୀ ଛୁରିଆ କହିବା ସହିତ ମହିଳାମାନଙ୍କ ପ୍ରତି ଅନ୍ୟାୟ ହେଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ।

You might also like
Leave A Reply

Your email address will not be published.