Odia news portal

ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି : ବିଜେଡି


ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା ବିଜେପି

ବିଭିନ୍ନ ମାନଦଣ୍ଡ ଯୋଗୁଁ ଯୋଜନାରୁ ବାଦ୍ ପଡ଼ିବେ ରାଜ୍ୟର ଅନେକ ମହିଳା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର । ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ ।

ଦୁଃଖର ବିଷୟ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି । ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି । ମହିଳାଟିଏ ଭାବିଥିଲା ଏକକାଳୀନ ୫୦ ହଜାର କିମ୍ବା ୨୫ ହଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ୱାବଲମ୍ବୀ ହେବ ଅଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ କରିପାରିବ । ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି ।

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଏବଂ ଠକାମୀର ଶିକାର ହୋଇଥିବା ଓଡ଼ିଶାର ମହିଳାଙ୍କ ଆଖିରେ ଧୂଳି ପକାଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି । ରାଜ୍ୟର ମହିଳାମାନଙ୍କୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ବିଜୁ ଜନତା ଦଳ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି ।

You might also like
Leave A Reply

Your email address will not be published.