Odia news portal

୨୪ରେ ପଥ ଉତ୍ସବ ଦୁଲୁକିବ ରାଜଧାନୀ, ଝୁମିବେ ସହରବାସୀ


ଭୁବନେଶ୍ୱର, (ଚକ୍ରଧର ମାଝି) : ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତା ଦୁଲୁକିବ । ଆନନ୍ଦରେ ଝୁମିବେ ଭୁବନେଶ୍ୱରବାସୀ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବିରଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଂଚଳରେ ଧୁମ୍ ଧାମରେ ପାଳିତ ହେବ ପଥ ଉତ୍ସବ । ବିଗତ ବର୍ଷଗୁଡିକଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତୃପକ୍ଷ । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ପରାମର୍ଶ କ୍ରମେ ଆଜି ବିଏମ୍‌ସିର ମୁଖ୍ୟାଳୟରେ ପଥୋତ୍ସବ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ କମିଶନର ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ମାଷ୍ଟର କ୍ୟାଂଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଷ୍ଟର କ୍ୟାଂଟିନଠାରେ ମୁଖ୍ୟ ମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ୱିତୀୟ ମଂଚ ନିର୍ମାଣ ହେବାକୁ ଏହି ବୈଠକରେ ନିଷ୍ପତି ହୋଇଛି । ଏଥିରେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ଏବଂ ଦିବ୍ୟାଙ୍ଗଠାରୁ ଆରମ୍ଭ କରି ଟ୍ରାନ୍ସ ଜେଣ୍ଡର-ସମସ୍ତ ବର୍ଗର ନାଗରିକ ସାମିଲ ହେବାକୁ କୁହାଯାଇଛି । ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍‌, ଲୁଡୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟ,ଫେସ୍ ପେଂଟିଂ,ଜୁମ୍ବା ଆଦି ବିଭିନ୍ନ ବିଭାଗ ରହିଛି । ପୁରା ମାଷ୍ଟର କ୍ୟାଂଟିନଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଭୁବନେଶ୍ୱର ନାଗରିକ ଝୁମିବେ, ନାଚିବେ, ଗାଇବେ, ବ୍ୟାୟାମ କରିବେ ଏବଂ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ଏହି ପଥୋତ୍ସବକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍‌ଏଚ୍‌ଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି । ବିଭିନ୍ନ କର୍ପୋରେଟର ନିଜ ଅଂଚଳର ଟ୍ୟାଲେଂଟଙ୍କ ବାବଦରେ ଜଣାଇ ଯୋଗ୍ୟ ବ୍ୟକ୍ତି କିପରି ସାମିଲ୍ ହେବେ ସେବାବଦରେ ସହଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଯୋଗାଯୋଗ କରିବାକୁ କହିଛନ୍ତି ଅତିରିକ୍ତ କମିଶନର । ଏଥିପାଇଁ ଏକ ସ୍ୱତନ୍ତ୍ର ନମ୍ବର ବା ଲିଙ୍କ୍ ଖୁବ୍ ଶ୍ରଘ୍ର ଜାରି ହେବ ।

ସହରି ବ୍ୟସ୍ତତାରୁ ବାହାରି ପ୍ରଫୁଲ୍‌ଲିତ ହେବାକୁ ଶୀତୁଆ ସକାଳକୁ ଉପଭୋଗ କରିବାକୁ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳାକୁ ଲୋକଲୋଚନକୁ ଆଣିବା ଉଦେଶ୍ୟରେ ଗତ କିଛି ବର୍ଷ ହେଲା ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ପଥ ଉତ୍ସବ । ଚଳିତ ବର୍ଷ ୩ଗୋଟି ଜୋନ୍‌ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ପଥ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ, ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର ।
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ, ଡେପୁଟି କମିଶନର ଶ୍ରୀ ପ୍ରୀୟବ୍ରତ ପାଢୀ, ସମସ୍ତ ଡେପୁଟି କମିଶନରଙ୍କ ସମେତ ସମସ୍ତ ଜୋନାଲ ଡେପୁଟି କମିଶନର, ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।

You might also like
Leave A Reply

Your email address will not be published.