Odia news portal

କୃତ୍ରିମ ଅଙ୍ଗ ଯୋଗାଇବାରେ ଓଡ଼ିଶା-ମୋ ପରିବାର ଆଗରେ

ଭୁବନେଶ୍ୱର : ଚାଷୀଟିଏ ହେଉ କି ସେ ଛାତ୍ର ଟିଏ, ଗୃହିଣୀ ହେଉ ଅବା କୁଆଁରୀ ଝିଅଟିଏ, ସମସ୍ତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ କରିବାରେ କର୍ତ୍ତବ୍ୟରତ ଓଡ଼ିଶା-ମୋ ପରିବାର । ଦିନଦୁଃଖୀ ରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଭିନ୍ନକ୍ଷମ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିହ୍ନଟ କରି, ସେମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଉଛି । ଏହି ମହତ୍ ପଦକ୍ଷେପ ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟୁଛି ।

ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ୧୫ ତାରିଖରେ ଜଣେ ୮୩ବର୍ଷିୟ ବୃଦ୍ଧ ଭିନ୍ନକ୍ଷମଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହ ସମନ୍ୱୟ ରକ୍ଷା କରି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ସୂଚନାନୁସାରେ, ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବାସିନ୍ଦା ଜଗନ୍ନାଥ ଛାଟୋଇ (୮୩) ପ୍ରାୟ ୨୪ବର୍ଷ ତଳେ ଶଗଡ଼ରେ ଚାଉଳ ବସ୍ତା ବୋଝେଇ କରି ନେଉଥିବା ବେଳେ ଭାରସାମ୍ୟ ହରାଇଥିଲେ, ଯାହାଫଳରେ ଶଗଡ଼ ଓଲଟି ପଡ଼ିବାରୁ ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପରିବାରବର୍ଗ ଘରୋଇ ଉପଚାର ଆପଣାଇ ଥିଲେ କିନ୍ତୁ ଗୋଡ଼ର ସଂକ୍ରମଣ ବଢିବାରେ ଲାଗିଥିଲା । ପରବର୍ତ୍ତୀ ସମୟରେ ସେ ଡାକ୍ତରଙ୍କୁ ପରାମର୍ଶ ନେବା ପରେ ତାଙ୍କ ଗୋଡ଼ କଟା ହୋଇଯାଇଥିଲା । ଜଗନ୍ନାଥ ଦୁଇଥର ଘରୋଇ ସଂସ୍ଥାଗୁଡ଼ିକରୁ ଗୋଡ଼ ଲଗାଇଥିଲେ କିନ୍ତୁ କ୍ରମଶଃ ତାହା ନଷ୍ଟ ହୋଇଯାଇଥିଲା ।

ଅସହାୟ ହୋଇ ସେ ତାଙ୍କ ପଡ଼ୋଶୀ ତଥା ସ୍ଵେଚ୍ଛାସେବୀ ଶ୍ରୀ ଗଗନ ବିହାରି ପାଇଟାଳଙ୍କ ସହଯୋଗ ଲୋଡ଼ିବା ପରେ ଶ୍ରୀ ପାଇଟାଳ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପରିଣତ ବୟସରେ ମଧ୍ୟ ଜଗନ୍ନାଥଙ୍କର ବାଟ ଚାଲି ଆଗକୁ ବଢିବାର ଇଚ୍ଛାଶକ୍ତିକୁ ଆମେ ସମ୍ମାନ ଜଣାଉଛୁ । ସେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା- ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

You might also like
Leave A Reply

Your email address will not be published.