Odia news portal

ଲୋୟର ପିଏମଜିରେ ଗର୍ଜିଲା ଭଞ୍ଜସେନା : ଦାବି ନ ଶୁଣିଲେ ଯନ୍ତରମନ୍ତରରେ ଧାରଣା

ଭୁବନେଶ୍ବର : ନୈସର୍ଗିକ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜର ଶିମିଳିପାଳ ଅଭ୍ୟାରଣ୍ୟ। ଏହା ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି। ଏଥିପ୍ରତି ବନ ବିଭାଗ, ରାଜ୍ୟ ସରକାର କେହି ହେଲେ ଦୃଷ୍ଟି ଦେଉନାହାନ୍ତି। ଏହାର ସୁରକ୍ଷା ପାଇଁ ସୁଦୂର ମୟୁରଭଞ୍ଜରୁ ଆଜି ଭଂଜସେନା ପକ୍ଷରୁ ହଜାର ହଜାର ଲୋକ ଅବିଶ୍ରାନ୍ତ ବର୍ଷାରେ ଲୋୟର ପିଏମଜିରେ ଧାରଣା ଦେଇଥିଲେ। ଶିମିଳିପାଳର ସୁରକ୍ଷା ଆମର ଦାବି ସ୍ଲୋଗାନରେ କମ୍ପିଥିଲା ଧରଣାସ୍ଥଳ। ପ୍ରାକୃତିକ ସବୁଜିମା ନଷ୍ଟ ହେଉଥିଲା ହେଁ ନିଦାବିଷ୍ଣୁ ସାଜିଥିବା ନେତା, ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ହଜାର ହଜାର ଜନତା।

୧୦ଦଫା ଦାବି ନେଇ ଆଜି ଭଂଜସେନା ଧାରଣାକୁ ଓହ୍ଲାଇଥିଲେ। ସେମାନଙ୍କ ଦାବି ଗୁଡିକ ହେଉଛି, ମହାବଳ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଭାଗ ଓ ରାଜ୍ୟର ବିଶିଷ୍ଟ ପରିବେଶବିତ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉ।
ଯୁଦ୍ଧକାଳୀନ ଭିତିରେ ଶିମିଳିପାଳ ଅଭୟାରଣ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ।

ବାଘଙ୍କ ଗତିବିଧିକୁ ଟ୍ରାକିଂ କରିବା ନିମନ୍ତେ(ଜିପିଏସ:ଗ୍ଳୋବାଲ ପଜିସନିଙ୍ଗ ସିଷ୍ଟମ), ମନିଟରିଙ୍ଗ ସିଷ୍ଟମ ଫର ଟାଇଗର ଏବଂ ଭିଏଚଏଫ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ବାଘଙ୍କ ଗତିବିଧିର ନୀରିକ୍ଷଣ କରିଯାଉ। ଅବାଧ ଶିକାରକୁ ରୋକିବା ନିମନ୍ତେ ସରକାରୀ ସ୍ତରରେ ଶିମିଳିପାଳ ସ୍ପୋଶାଲ ସ୍କ୍ୱାର୍ଡ ଗଠନ କରି କଡାକଡି ନିୟମ ଓ ଦଣ୍ଡବିଧାନ ପ୍ରଣୟନ କରାଯାଉ। ବିନବିଭାଗ ସହିତ ସ୍ୱତନ୍ତ୍ର ଆରକ୍ଷୀ, ପ୍ରତିରକ୍ଷା ବାହିନୀକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ପ୍ରଦାନ କରାଯାଉ। ଜୈବ ବିବର୍ତନ ପାଇଁ ସମଗ୍ର ବିଶ୍ୱରେ ବିରଳ ପ୍ରଜାତିର କଳା ମହାବଳ ବାଘ ଦେଖାଯାଉଥିବା ଶିମିଳିପାଳରେ ବାଘ ପ୍ରଜନନ, ସଂଖ୍ୟାବୃଦ୍ଧି, ବାସସ୍ଥାନ, ଖାଦ୍ୟଶୃଙ୍ଖଳ, ଗତିବିଧି, ପରିବେଶ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଉ।

ଶିମିଳିପାଳ କୋର ଓ ବୋଫର ଅଂଚଳରେ ଅବସ୍ଥିତ ଗାଁ ଗୁଡିକ ବିସ୍ଥାପିତ କରାଯାଇ ଶିମିଳିପାଳକୁ ସମ୍ପୂର୍ଣ୍ଣ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପ୍ରଦାନ କରାଯାଉ। ଏହାସହ ବିସ୍ଥାପିତଙ୍କୁ ସରକାରୀ ଜମି,ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ, ରୋଜଗାର, ବାସଗୃହ ଯୋଗାଇବା ସହିତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ। କେବଳ ଆଦିବାସୀଙ୍କ ଧାର୍ମିକ ଉପାସନା ଓ ବାର୍ଷିକ ପୂଜାର୍ଚ୍ଚନା ପାଇଁ ଶିମିଳିପାଳକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉ। ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ସୀମାନ୍ତ ଓ ଆଭ୍ୟନ୍ତରୀଣ ଅଂଚଳରେ ଲୋକମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ। ଫଳରେ ବନ୍ୟଜୀବ ପର୍ଯ୍ୟଟନ ମାଧ୍ୟମରେ ଲୋକେ ରୋଜଗାରକ୍ଷମ ହୋଇପାରିବେ। ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଇକୋ ଟୁରିଜିମ ପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତୁ।

ଶିମିଳିପାଳର ସୁରକ୍ଷା ନିମନ୍ତେ ଖାଲି ପଡିଥିବା ୪୦ପ୍ରତିଶତ କର୍ମଚାରୀଙ୍କ ପଦବୀ ପୂରଣ କରାଯାଉ। ଅଭୟାରଣ୍ୟ ମଧ୍ୟରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ତୁରନ୍ତ ବାତିଲ କରାଯାଉ। ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ କାର୍ଯ୍ୟକାରୀ କରାଯାଉ । ନବ ରୂପାନ୍ତର ପ୍ରକ୍ରିୟାରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଆ କୀଚକେଶ୍ୱରୀଙ୍କ ମନ୍ଦିର, ମାଆ ଅମ୍ବିକା ମନ୍ଦିର, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ଓ ମାଣତ୍ରୀ ସ୍ଥିତ ବାବ କଖାରୁଆ ବୈଦ୍ୟନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ଆଜି ଧାରଣରତ ଲୋକମାନେ ଦାବି କରିଥିଲେ।

ଅନୁଷ୍ଠାନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଵିଶାଳ ଗଣଧାରଣାରେ ଅଧକ୍ଷ ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ମହମ୍ମଦ ଅଲ୍ଲୀ ଖାନ, ନିମାଇଁ ତ୍ରିପାଠୀ,ଲାଲ ବାହାଦୁର ମହାନ୍ତି,ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ସଭାନେତ୍ରୀ କନିକା ବୋଷ, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ଆଇନଜୀବୀ ମହମ୍ମଦ ଫିରୋଜ଼, ରାକେଶ ମହାନ୍ତିଙ୍କ ସମେତ ହଜାର ହଜାର ଶିମିଳିପାଳ ପ୍ରେମୀ ଯୋଗ ଦେଇଥିଲେ। ଏହି ଦାବି ଗୁଡିକ ଉପରେ ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ପୂର୍ବକ ଆନ୍ଦୋଳନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଜେନା ସୂଚନା ଦେଇଛନ୍ତି।

You might also like
Leave A Reply

Your email address will not be published.