Odia news portal

ଟିଟିଏସ୍‌ରେ ଆରମ୍ଭ ହେଲା ମେଗା ଟ୍ରମେଲ ମେସିନ୍ କାର୍ଯ୍ୟ

ଭୁବନେଶ୍ୱର (ଚକ୍ରଧର ମାଝି) : ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟିଟିଏସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ଏହି ମେଗା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚିନରାୟଣ ମହାସୁପକାର, ସ୍ଥାନୀୟ କର୍ପୋରେଟରଗଣଙ୍କ ସହିତ ବିଏମ୍‌ସି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଶ୍ରୀ ଅରୁଣ କୁମାର ନାୟକ, ଡେପୁଟି କମିଶନର ଡଃ ମନୋରଞ୍ଜନ ସାହୁ, ଉତ୍ତର ଜୋନାଲ ଡେପୁଟି କମିଶନର ଶ୍ରୀ ପୁରନ୍ଦର ନନ୍ଦ ଓ ଟିମ୍ ବିଏମ୍‌ସି ଉପସ୍ଥିତ ଥିଲେ ।

ସଂପ୍ରତି ଟିଟିଏସ୍‌ଠାରେ କାର୍ଯ୍ୟ ଆରମ୍ଭ କରିଥିବା ଏହି ଟ୍ରମେଲ ମେସିନ ପ୍ରତି ଘଂଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା ରହିଛି । ୧୦୦ ମିଲି ମିଟର ବା ତାଠାରୁ ବଡ ଆକାରର କଠିନ ବର୍ଜ୍ୟ ବସ୍ତୁ ଯଥା- ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ, କପଡା ଇଦ୍ୟାଦି ପୃଥକୀକରଣ କରିପାରୁଛି । ଆହୁରି ଛୋଟ ଛୋଟ ଆକାରର ଯଥା-୪୦ ମିଲି ମିଟର, ୨୦ ମିଲି ମିଟର ଓ ୪ ମିଲି ମିଟର କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବା ପାଇଁ ୩ଟି ମେସିନ ବସିବ ।

ଏହି ୪ ପ୍ରକାରର ଟ୍ରମେଲ ମେସିନ ଦ୍ୱାରା ବର୍ଜ୍ୟବସ୍ତୁର ଆକାର ଅନୁସାରେ ପୃଥକୀକରଣ କରାଯିବା ପରେ ଉଇଁଣ୍ଡ୍ରୋସ ପଦ୍ଧତିରେ ସେଗୁଡିକର ପ୍ରକ୍ରିୟାକରଣ କରାଯାଇ ସେଥିରୁ ଜୈବିକ ଖତ( ମୋ ଖତ) ଉତ୍ପାଦନ କରାଯିବ । ଅବଶେଷ ବର୍ଜ୍ୟକୁ ସିମେଣ୍ଟ ତିଆରି କାରଖାନା ବା ବିକଳ୍ପ ବ୍ୟବହାର ନିମନ୍ତେ ନିୟମ ଅନୁସାରେ ଅନ୍ୟତ୍ର ପେଶାଦାର ସଂସ୍ଥାକୁ ଦିଆଯିବ ବୋଲି କୁହାଯାଇଛି । ତେବେ ୪ ପ୍ରକାର ମେସିନ ବସିସାରିବା ପରେ ମାସକୁ ୨୮ ଦିନ ପୃଥକୀକରଣ ଓ ପ୍ରକ୍ରିୟାକରଣ କାମ ଚାଲିପାରିବ । ଏପରି ବିଜ୍ଞାନ ସମ୍ମତ ପଦକ୍ଷେପ ଦ୍ୱାରା ଭୁବନେଶ୍ୱରର ବର୍ଜ୍ୟ ପ୍ରକ୍ରିୟାକରଣ ପରିଚାଳନା ସହଜ ହେବ ।

ସୂଚନାଯୋଗ୍ୟକି ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ପୃଥକିକୃତ ବର୍ଜ୍ୟ ସଂଗ୍ରହ, ଇ-ବର୍ଜ୍ୟବସ୍ତୁର ପୃଥକୀକରଣ ନିମନ୍ତେ ବିଭିନ୍ନ ୱାର୍ଡରୁ ବର୍ଜ୍ୟ ସଂଗ୍ରହ ହୋଇ ସହରରେ ଗଢି ଉଠିଥିବା ସଂପଦ କେନ୍ଦ୍ର (୩୫ ଏମ୍‌ସିସି ଏବଂ ୨୨ଟି ଏମ୍‌ଆରଏଫ୍‌)ଗୁଡିକରେ ବର୍ଜ୍ୟ ପ୍ରକ୍ରିୟାକରଣ ସହିତ ମୋ ଖତର ଉତ୍ପାଦନ ଆମ ସହରର ଗୋଷ୍ଠୀ ସହଭାଗିତାକୁ ପ୍ରମାଣିତ କରିପାରିଛି । ତେବେ ଏହି ପ୍ରୟାସକୁ ଅଧିକ ଗୁଣାତ୍ମକ କରି ଭୁବନେଶ୍ୱରରେ ବର୍ଜ୍ୟ ପରିଚାଳନାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି କହିଛନ୍ତି କମିଶନର ।

You might also like
Leave A Reply

Your email address will not be published.