Odia news portal

ଡ୍ରେନରୁ ପଙ୍କୋଦ୍ଧାର କାମ ତୁରନ୍ତ ସାରିବାକୁ ମେୟରଙ୍କର କଡା ନିର୍ଦେଶ

 ଜନହିତ ଦୃଷ୍ଟିରୁ ତୁରନ୍ତ କାମସାର-ମେୟର
 ମୁଖ୍ୟ ଡ୍ରେନ କାମ ସାରିବାକୁ କିଛି ସମୟ ମାଗିଲେ ଏଜେନ୍ସି

ଭୁବନେଶ୍ୱର, (ଚକ୍ରଧର ମାଝି) : ତୁରନ୍ତ ଡ୍ରେନରୁ ପଙ୍କୋଦ୍ଧାର କାମ ସାରିବାକୁ ତାଗିଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ଆଜି ଇଂଜିନିୟରିଂ ଏବଂ ବିଭିନ୍ନ ଏଜେନ୍ସି ସହ ପଙ୍କୋଦ୍ଧାର କାର୍ଯ୍ୟ ସଂପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ, ଜୁଲାଇ ୧୫ ତାରିଖ ପୂର୍ବରୁ ସମସ୍ତ ଡ୍ରେନରୁ ପଙ୍କୋଦ୍ଧାର କାମ ଶେଷ କର । ଏହି ବୈଠକରେ ସମସ୍ତ ଏଜେନ୍ସିଙ୍କ ସହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଇଂଜିନିୟରିଂ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ସହ ସମସ୍ତ ଯନ୍ତ୍ରୀ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବିଏମ୍‌ସିର ସମସ୍ତ ଆଭ୍ୟନ୍ତରୀଣ ଓ ମୁଖ୍ୟ ଡ୍ରେନରୁ ପଙ୍କୋଦ୍ଧାର କାମ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଏଜେନ୍ସିଗୁଡିକ କେତେ କେତେ କାମ କରିଛନ୍ତି, ସେମାନଙ୍କର କାର୍ଯ୍ୟ କେତେଦୂର ଆଗେଇଛି, କାହିଁକି କାମ ଶେଷ ହୋଇ ନାହିଁ, କଣ କଣ ସମସ୍ୟା ରହିଛି, କାମ ସାରିବାକୁ ଆଉ କେତେଦିନ ଲାଗିବ, ପଙ୍କୋଦ୍ଧାର ସଠିକ୍ ଭାବେ ହେଉଛି କି ନାହିଁ, ଡ୍ରେନରୁ ବାହାରୁଥିବା ପଙ୍କ ସଙ୍ଗେ ସଙ୍ଗେ କାହିଁକି ଉଠା ହେଉନାହିଁ ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା ।

୧୧ଟି ପ୍ରମୁଖ ଡ୍ରେନ ଏବଂ ୪ଟି ଶାଖା ଡ୍ରେନର କାମ କେତେଦୂର ଆଗେଇଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଆଭ୍ୟନ୍ତରୀଣ ଡ୍ରେନଗୁଡିକର କାମ ପ୍ରାୟ ଶେଷ ହୋଇଆସିଲାଣି ଏବଂ ୩୦ ତାରିଖ ଭିତରେ ସଂପୂର୍ଣ୍ଣ ହୋଇଯିବ । ଯେଉଁ କେତେକ ଆଭ୍ୟନ୍ତରୀଣ ଡ୍ରେନର କାମ ବାକି ରହିଛି, ସେଠାରେ କିଛି କିଛି ସମସ୍ୟା ରହିଛି । ତାର ତୁରନ୍ତ ସମାଧାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ମାନନୀୟା ମେୟର । ସେହିପରି ପ୍ରମୁଖ ଡ୍ରେନଗୁଡିକର କାମ କେଉଁଠାରୁ କେତେ ବାଟ ପର୍ଯ୍ୟନ୍ତ ପଙ୍କୋଦ୍ଧାର ହୋଇଛି, ଆଉ ଅବଶିଷ୍ଠ କାହିଁକି ହୋଇନାହିଁ, ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା । ତୁରନ୍ତ କାମ ସାରିବାକୁ ଏଜେନ୍ସିମାନଙ୍କୁ କୁହାଯାଇଛି । ସଂପ୍ରତି ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାରୁ ଅଧିକ ଲୋକ ଲଗାଇ ଯୁଦ୍ଧକାଳୀନ ଭିତିରେ ସେଗୁଡିକର କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ମାନନୀୟା ମେୟର ।

ଆର୍ ଆଣ୍ଡ ବି ନିକଟରେ ତାଙ୍କର ୩୬୦ କିଲୋମିଟର ଡ୍ରେନ୍ ବିଏମ୍‌ସିକୁ ହସ୍ତାନ୍ତର କରିଥିବାରୁ, ସେହି ଡ୍ରେନଗୁଡିକର କାମ ଟିକେ ପଛେଇ ଯାଇଛି । କାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ, ନିର୍ଦ୍ଧାରିତ ତାରିଖ ଭିତରେ ଟେଂଡର ହୋଇପାରି ନଥିଲା । ନିର୍ବାଚନ କମିଶନରଙ୍କଠାରୁ ଅନୁମତି ଆସିବା ପରେ ଟେଂଡର ଡକାଯାଇଥିଲା । ଅପରପକ୍ଷେ କାମ କରିବା ସମୟରେ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଯଥା କେତେକସ୍ଥାନରେ ଡ୍ରେନ ଉପରେ ଘର ତୋଳି ଦେଇଛନ୍ତି, ଆଉ କେତେକ ଡ୍ରେନ ଭିତରେ ବିଦ୍ୟୁତ୍ ତାର ଯାଇଛି । ଡ୍ରେନ ଭିତରେ ଯାଇଥିବା ତାରଗୁଡିକୁ ବିଦ୍ୟୁତ୍ ବିଭାଗ ସୁରକ୍ଷିତ ଭାବେ ରଖିବା ପରେ ସେଗୁଡିକରେ କାମ ହେବ । ନଚେତ୍ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।
ଆଭ୍ୟନ୍ତରୀଣ ଡ୍ରେନଗୁଡିକର ପ୍ରାୟ ୮୫ ପ୍ରତିଶତ ସଫେଇ ଓ ପଙ୍କୋଦ୍ଧାର କାମ ଶେଷ ହୋଇଯାଇଛି ।

ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ସବୁ ଡ୍ରେନ କାମ ଶେଷ ହୋଇଯିବ ବୋଲି ଏଜେନ୍ସିମାନେ କହିଛନ୍ତି । ତେବେ ମୁଖ୍ୟ ଡ୍ରେନଗୁଡିକର କାମ ସାରିବାକୁ ଆଉ କିଛି ଦିନ ସମୟ ମାଗିଛନ୍ତି ବିଭିନ୍ନ ଏଜେନ୍ସି । ଜୁଲାଇ ୧୫ ତାରିଖ ପୂର୍ବରୁ କାମ ଶେଷ କରିବାକୁ ମାନନୀୟା ମେୟର ତାଗିଦ କରିଦେଇଛନ୍ତି । ଏଥିରେ ଅବହେଳା କଲେ, ସଂପୃକ୍ତ ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି । ଅପରପକ୍ଷେ ଏହା ଏକ ସାମାଜିକ କାର୍ଯ୍ୟଭାବି ଏଜେନ୍ସିମାନେ ତୁରନ୍ତ କାମ ସାରିବାକୁ ସେ କହିଛନ୍ତି ।

ଯେଉଁଠାରେ ବିପଦ ସଂକୁଳ ଅବସ୍ଥାରେ କିମ୍ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ସେଠାରେ ତାରବାଡ କରିବାକୁ ମଧ୍ୟ କୁହାଯାଇଛି । ଏନ୍‌ଜିଟି ଏବଂ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତ କାମ କରିବାକୁ ଏଜେନ୍ସିମାନଙ୍କୁ କୁହାଯାଇଛି ।

You might also like
Leave A Reply

Your email address will not be published.