Odia news portal

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ମାସ ପାଳିତ

୧୨୦ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ହାତ ପ୍ରଦାନ

୬୦ ଜଣଙ୍କୁ କମ୍ବଳ ଓ ୧୦ ଜଣଙ୍କୁ ଜରିପାଲ ବଣ୍ଟନ

ଭୁବନେଶ୍ୱର: ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ମାସ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୨୦ ଜଣ ଭିନ୍ନକ୍ଷମଙ୍କୁ ସ୍ୱୟଂଚାଳିତ ବୈଦ୍ୟୁତିକ ହାତ ଯୋଗାଇ ଦିଆଯାଇଛି। ଏହା ସହ ୬୦ ଜଣଙ୍କୁ କମ୍ବଳ ବଣ୍ଟନ ଓ ୧୦ ଜଣଙ୍କୁ ଜରିପାଲ ମଧ୍ୟ ବଣ୍ଟନ କରାଯାଇଥିଲା। ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଓ ଇନାଲି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଯୋଗଦେଇ କହିଥିଲେ ଯେ ମୋ ଜିଲ୍ଲାରେ ଅନୁଷ୍ଠାନ ପକ୍ଷରୁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ।

ଏହି ସଂସ୍ଥା ଏଭଳି କାମ କରିଚାଲୁ। ମୁଁ ସଦାସର୍ବଦା ଆପଣଙ୍କ ସହ ରହିଛି ଓ ରହିବି। ସମ୍ମାନିତ ଅତିଥି ଏସଏନଏମ୍ ଗ୍ରୁପ୍ ର ନିର୍ଦ୍ଦେଶକ ଡ. ପ୍ରବୋଧ ମହାନ୍ତି ଓ ରେଡ୍ ସ୍ବସ୍ତିକ୍ ସୋସାଇଟି, ଓଡିଶା ଶାଖା ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ । ରେଡ୍ ସ୍ବସ୍ତିକ ସୋସାଇଟି ଓଡ଼ିଆ ଶାଖାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମଙ୍କ ତଥ୍ୟ ସଂଗ୍ରହ କରି ଏହି ପଦକ୍ଷେପ ହାତକୁ ନେଇଛି। ରାଜ୍ୟରେ ଭିନ୍ନକ୍ଷମ ମାନଙ୍କ ଉନ୍ନତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଓ ଆଗକୁ ନିଆଯିବ ବୋଲି ରେଡ୍ ସ୍ବସ୍ତିକ ସୋସାଇଟି, ଓଡିଶା ଶାଖା ସଚିବ ଦେବାଶିଷ ପଟ୍ଟନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପାତ୍ର, କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଅଭିନେତ୍ରୀ କାଜଲ ଶତପଥି, ଫିଜିଓଥେରାପିଷ୍ଟ ପ୍ରଭଞ୍ଜନ ରାୟସାମନ୍ତ, ଗ୍ରୀନ୍ ଚିଲିଜ୍ ର ପ୍ରତିଷ୍ଠାତା ଏମ୍ କେଶବ ରାଓଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ରେଡ୍ ସ୍ୱସ୍ତିକ ସୋସାଇଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

You might also like
Leave A Reply

Your email address will not be published.