ସାବାଡ୍ ହେବେ ନକଲି ସାମ୍ବାଦିକ; ପ୍ରେସ ଲେଖାଯାଇଥିବା ଗାଡ଼ିର ହେବ ଯାଞ୍ଚ
କଟକ : କମିସନରେଟ ପୁଲିସର ବିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ମନଇଚ୍ଛା ଗାଡ଼ିରେ ପ୍ରେସ ଲେଖୁ ବୁଲୁଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ଖୁବ୍ଶୀଘ୍ର କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଶେଷକରି ପ୍ରେସ ଲେଖାଯାଇଥିବା ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ଏହି ଅଭିଯାନ ଫଳରେ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରାଯିବାରେ ସଫଳତା ମିଳିବ ବୋଲି ସେ ଆଶାପ୍ରକଟ କରିଛନ୍ତି । ଗଣମାଧ୍ୟମ ଗାଡ଼ିକୁ ସାଧାରଣତଃ ସବୁ ସ୍ଥାନକୁ ଯିବାକୁ ଅନୁମତି ରହିଛି। ଫଳରେ ଏହି ଗାଡିଗୁଡିକୁ ପୁଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ି ନଥାଏ । ଏହାର ସୁଯୋଗ ନେଇ ଅନେକ ସମୟରେ ଅସାମାଜିକ ବ୍ୟକ୍ତି ଗାଡିରେ ପ୍ରେସ୍ ଲେଖୁ ବୁଲୁଥିବାର ନଜରକୁ ଆସିଛି। ଏପରି କି କେତେକ ଅପରାଧୀ ତାଙ୍କ ଗାଡ଼ିରେ ପ୍ରେସ୍ ଲେଖୁ ଅପରାଧିକ କାର୍ଯ୍ୟ ଷଡ଼ଯନ୍ତ୍ର କରୁଛନ୍ତି। ସେହିପରି ଯାଞ୍ଚରୁ ବର୍ତ୍ତିବା ପାଇଁ ଅନେକ ସାଧାରଣ ଲୋକ ଗାଡିରେ ପ୍ରେସ ଲେଖୁ ବୁଲାବୁଲି କରୁଥିବା ଘଟଣା ସାମ୍ନାକୁ ଆସିଛି । କିଛିଦିନ ପୂର୍ବେ ଭୁବନେଶ୍ଵରର ଏକ ୱେବପୋର୍ଟାଲ କାର୍ଯ୍ୟାଳୟରେ ଚାଲିଥିବା ଏଭଳି କଳାକାରନାମା ପଦାକୁ ଆସିଥିଲା ।
ସେହିପରି ମାଲଗୋଦାମ ଥାନା ପୁଲିସ କିଛିମାସ ପୂର୍ବେ ଜବତ କରିଥିବା ବାଇକ ମଧ୍ୟରୁ ଅନେକ ଗାଡିରେ ପ୍ରେସ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ଅଧୂକ ଖୋଳତାଡ଼ ପରେ ଗାଡିର ପ୍ରକୃତ ମାଲିକ କୌଣସି ଗଣମାଧ୍ଯମ ସହିତ ଜଡିତ ନ ଥିବା ଜଣାପଡ଼ିଥିଲା।
ମୁଖ୍ୟତଃ ଅପରାଧ ଘଟାଇବା ପରେ ସମସ୍ତଙ୍କ ଆଖିରେ ଧୂଳିଦେଇ ଖସିଯିବା ଲାଗି ଅପରାଧୀମାନେ ଗାଡିରେ ପ୍ରେସ ଲେଖୁଥିବା ଜଣାପଡ଼ିଥିଲା । ଏଣୁ ପ୍ରେସ ଲେଖାର ଅପବ୍ୟବହାର ଓ ଏହାଦ୍ବାରା ଘଟୁଥିବା ଅପରାଧକୁ ରୋକିବା ଲାଗି ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।