Odia news portal

ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣା ଏଥିପାଇଁ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ମଙ୍ଗଳବାର-ଗୁରୁବାର ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିଛି। ଏଥିପାଇଁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ବଙ୍ଗୋପସାଗର ପଟୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ହେତୁ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ସ୍ଥିତି ସୃଷ୍ଟି ହେଉଛି। ଏହି କ୍ରମରେ ରବିବାର ଭୁବନେଶ୍ୱର ସମେତ ବୌଦ୍ଧ, ଦାରିଙ୍ଗବାଡ଼ି ଓ ନୂଆପଡ଼ା ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଭୁବନେଶ୍ୱରରେ ୧୫.୨ ମିମି. ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ୬୪ ମିମି. ବର୍ଷା ରେକର୍ଡ କରାଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି ହୋଇଛି, ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like
Leave A Reply

Your email address will not be published.