Odia news portal

ଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ : ବିଜେଡି


ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ରର ଉଦ୍ୟମ

ବରଗଡ-ନୂଆପଡା ରେଳ ପ୍ରକଳ୍ପ ସମ୍ବନ୍ଧରେ ଚୁପ୍ କାହିଁକି?

ସାତ ବର୍ଷ ପୂର୍ବରୁ ଘୋଷିତ ପ୍ରକଳ୍ପକୁ ପୁଣି କ୍ୟାବିନେଟ ମଞ୍ଜୁରୀ

ଭୁୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ବିଗତ ୮ ବର୍ଷ ମଧ୍ୟରେ ଆମ ରାଜ୍ୟ ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ । କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ, କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି । ଅଣବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ବିଜେପି ସରକାର ଏହି ଆଭିମୁଖ୍ୟ ସଦାବେଳେ ପୋଷଣ କରି ଆସିଛି । ଗୁଣୁପୁର ଥେରୁବାଲି ରେଳଲାଇନ ଏହାର ଜ୍ୱଳନ୍ତ ଉଦାହରଣ । ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହେଇସାରିଥିଲେ ମଧ୍ୟ ଗତ ସାତବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି ।

ରାଜ୍ୟ ସରକାର ଜମି ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ । ସାତବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି । କ୍ୟାବିନେଟ ନିଷ୍ପତ୍ତି କ’ଣ ପାର୍ଲାମେଣ୍ଟରୁ ଉର୍ଦ୍ଧ୍ୱରେ କି? ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟରେ ମଂଜୁର ହୋଇଥିବା ରେଳ ପ୍ରକଳ୍ପ ଗୁଡିକ କେବଳ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ । ଆମ ରାଜ୍ୟର ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ଏହି ପ୍ରକଳ୍ପ ହେବ କିନ୍ତୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ ।

ଜୁନ୍ଧଜ୍ଞଙ୍ଗ-ନବରଙ୍ଗପୁର ଓ ମାଲକାନଗିରି-ଭଦ୍ରାଚଳମ୍‌, ଏହାର ଜ୍ୱଳନ୍ତ ଉଦାହରଣ । ଇବ୍ ଥର୍ମାଲ ଓ ଚାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ ଏବଂ ଏତତ୍‌ଦ୍ୱାରା ଅନ୍ୟ ରାଜ୍ୟମାନେ ଉପକୃତ ହେବେ । ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡି ହୋଇଥାଆନ୍ତା ତାହାହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା । ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହି ପ୍ରକଳ୍ପମାନ କରାଯାଉଛି ।

ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପର କ’ଣ ଅଗ୍ରଗତି ହୋଇଛି । ପ୍ରତିବର୍ଷ ରେଳମନ୍ତ୍ରୀ ଓଡିଶାକୁ ସାତ ହଜାର/ଆଠ ହଜାର/ଦଶ ହଜାର କୋଟି ଟଙ୍କା ବଜେଟରେ ଘୋଷଣା କରୁଛନ୍ତି । କିନ୍ତୁ ବଜେଟରେ ମଂଜୁରୀ ପ୍ରାପ୍ତ ଅର୍ଥ ମଧ୍ୟରୁ କେତେ ବ୍ୟୟ ହୋଇଛି ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନାହିଁ । ଆଶ୍ଚର୍ଯ୍ୟର କଥା କୌଣସି ବର୍ଷ ବ୍ୟୟ ପରିମାଣ ତିନି ହଜାର କୋଟି ଟଙ୍କା ଛୁଇଁପାରିନାହିଁ । ପଦ୍ମପୁର ଉପନିର୍ବାଚନ ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳଲାଇନ ନିର୍ମାଣ ବାବଦରେ କରିଥିବା ଘୋଷଣା ଭୁଲି ଯାଇଛନ୍ତି । ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହା ଆଭିମୁଖ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

You might also like
Leave A Reply

Your email address will not be published.