ଚରଣ ମାଝୀଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର : ସାଲିଆ ସାହିର ବରିଷ୍ଠ ମୁରବୀ ଚରଣ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଓ ସ୍ମୃତିଚାରଣ ସଭା ସାଲିଆ ସାହି ନୀରଙ୍କାରୀ ନଗର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ସୁବାସ ପାତ୍ର, ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ ଓ ଉତ୍ତରର ବହୁ କର୍ପୋରେଟର, ରାଜନେତା, ସାମ୍ବାଦିକ, ସମାଜସେବୀ, ମୁରବିମାନେ ଯୋଗଦେଇ ସ୍ୱର୍ଗତ ଚରଣ ମାଝୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ, ଉଦାର ହୃଦୟର ବ୍ୟକ୍ତି ଥିଲେ ।
ସାଲିଆ ସାହିରେ ୩୫ ବର୍ଷ ରହଣି କାଳ ମଧ୍ୟରେ ସେ ଲୋକମାନଙ୍କ ସହିତ ମିଶି ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ବହୁ ସମସ୍ୟାର ସମାଧାନ କରିଛନ୍ତି । ତାଙ୍କ ଆବର୍ତ୍ତମାନରେ ସାଲିଆ ସାହିର ମୁରବିଶ୍ରେଣୀରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ଉପଲକ୍ଷେ ପରିବାର ପକ୍ଷରୁ ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପୁତ୍ର ବଂଶୀଧର ମାଝୀ, ସୁଧାକର ମାଝୀ, ଚକ୍ରଧର ମାଝୀ, ଜିତେନ୍ଦ୍ର ମାଝୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଯୋଗଦାନ ହୋଇଥିଲେ ।