Odia news portal

ପୁଣି ଆସୁଛି ଆଉ ଏକ ଲଘୁଚାପ : ଅଗଷ୍ଟ ୩ ତାରିଖ ଯାଏଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍‌ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଅଗ୍ରସର ହେବ। ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ତେବେ ଏହାରି ମଧ୍ୟ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି ପାଣିପାଗ ବିଭାଗ। ୩୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣିବଳୟ ସମ୍ଭାବନା ରହିଛି । ଫଳରେ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁଲାଇ ୩୧ ରୁ ଅଗଷ୍ଟ ୩ ଯାଏଁ ପଡୋଶୀ ରାଜ୍ୟରେ ବି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଏବଂ ଯାଜପୁରକୁ ସତର୍କତା ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ୩୧ ତାରିଖରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଏବେ ବି ରାଜ୍ୟରେ ୮ ପ୍ରତିଶତ ବର୍ଷା ନିଅଣ୍ଟ ରହିଛି। ୧୧ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ବର୍ଷା ନିଅଣ୍ଟିଆ ରହିଥିବା ବେଳେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଯେଉଁ ବର୍ଷା ହେବ-ସେଥିରେ ତାହା ଭରଣ ହେବ ବୋଲି ଆଶା କରାଯାଉଛି।

You might also like
Leave A Reply

Your email address will not be published.