Odia news portal

ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି : ବିଜେଡି


ଶଙ୍ଖ ଭବନ ପାଇଁ ଆବଣ୍ଟିତ ହୋଇଥିବା ଜମି ସମ୍ପୂର୍ଣ୍ଣ ଆଇନସମ୍ମତ

ଦୁଇ ସରକାରୀ କ୍ୱାର୍ଟର ମଧ୍ୟରେ ଥିବା ଉପଗଳିକୁ ସଡ଼କ ଆଖ୍ୟା ଦେବା ଦୁର୍ଭାଗ୍ୟଜନକ

ମନ୍ତ୍ରୀଙ୍କ ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ

ସମାନ ବିଜ୍ଞପ୍ତିରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ୧.୨୬୯ ଏକର ଜମି ଖାରବେଳ ନଗରରେ ପ୍ରଦାନ କରାଯାଇଛି

ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଦେବୀ ମିଶ୍ର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଶଙ୍ଖ ଭବନ ସମ୍ପର୍କିତ ଦିଆଯାଇଥିବା ବିବୃତି ଉପରେ ଦଳ ତରଫରୁ ସ୍ପଷ୍ଟୀକରଣ ଦେଇଥିଲେ । ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହା ସମ୍ପୂର୍ଣ୍ଣ ଆଇନ ସମ୍ମତ ଭାବେ ବିଜୁ ଜନତା ଦଳକୁ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନ ବେଞ୍ଚ ମାର୍କ ଭ୍ୟାଲୁ ଆଇନ ଆଧାରରେ କରାଯାଇଛି ବୋଲି ଦେବୀ ମିଶ୍ର କହିଥିଲେ । ମୌଜା-ଗଙ୍ଗନଗର, ୟୁନିଟ୍ ୬, ତହସିଲ-ଭୁବନେଶ୍ୱର, ଖାତା ନମ୍ୱର ୧୧୨, ପ୍ଲଟ ନମ୍ବର ୭୯୭ ପାର୍ଟ, ୭୯୮ ପାର୍ଟ, ୮୦୦, ୭୯୭/୮୪୯ରେ ଥିବା ପ୍ଲଟଗୁଡ଼ିକୁ କମ୍ପାକ୍ଟ ପାର୍ସଲରେ ପଟା ଦିଆଯାଇଛି । ଗଙ୍ଗନଗରର ଅଞ୍ଚଳର ୨୦୨୧ ମସିହାର ବେଞ୍ଚ ମାର୍କ ଭ୍ୟାଲୁ ଅନୁସାରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିବା ପରିମାଣକୁ ବିଜେଡ଼ି ଦ୍ୱାରା ପୈଠ କରାଯାଇଥିଲା ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଆବେଦନ ଅନୁଯାୟୀ ବିଜେଡି ଅଫିସ ପାଇଁ ୧ ଏକର ୧୮୩. ଜମି ପ୍ରଦାନ କରାଯାଇଥିଲା । । ସେହି ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ୧ ଏକର ୨୬୯. ଜମି ପ୍ରଦାନ କରାଯାଇଥିଲା । ବିଜେଡ଼ିକୁ ପ୍ରଦାନ କରାଯାଇଥିବା ଦୁଇଟି କ୍ୱାର୍ଟର ଭିତରେ କଞ୍ଜରଭାନ୍ସି ଲେନ୍ ବା ଉପଗଳିକୁ ଓଜିଏଲ୍‌ଏସ୍ ରୁଲ ୮ ଉପଧାରା ୪ ଅନୁଯାୟୀ ଇନଷ୍ଟିଚ୍ୟୁସନାଲ ରେସିଡେନ୍ସି ନିୟମରେ ଆବଣ୍ଟନ କରାଯାଇଛି । ଏହି ଦୃଷ୍ଟିରୁ ଦୁଇଟି କ୍ୱାର୍ଟର ମଝିରେ ଥିବା ଉପଗଳିକୁ ସଡ଼କ ବୋଲି ରାଜସ୍ୱ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍ । ରାଜସ୍ୱ ମନ୍ତ୍ରୀଙ୍କୁ ବୋଧେ ସଠିକ ତଥ୍ୟ ଅବଗତ କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ, ବିଜେପିର ଏହା ଅସହିଷ୍ଣୁ ନୀତି । ଶଙ୍ଖ ଭବନ ସମ୍ପର୍କରେ ମିଡ଼ିଆରେ ଗୁଜବ ଉପୁଜାଇ ସାଧାରଣରେ ବିଭ୍ରାନ୍ତ କରିବା ବିଜେପିର ଉଦ୍ଦେଶ୍ୟ । କେବଳ ବ୍ଲେମ ଗେମ କରି ଉପର ଠାଉରିଆ ଭାବେ ବିଜେପି ଖସିଯିବାକୁ ଚାହୁଁଛି । ଜଣେ ସାଧାରଣ ଲୋକ କହିଥିଲେ ଦୁଃଖ ଲାଗି ନଥାନ୍ତା, ହେଲେ ରାଜସ୍ୱ ମନ୍ତ୍ରୀ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି, ତାହା ପୂରଣ କରନ୍ତୁ ।

You might also like
Leave A Reply

Your email address will not be published.