Odia news portal

ଓଡ଼ିଆ ଅଫିସର ମାଡ଼ ଖାଇଲେ, ନ୍ୟାୟ ତ ମିଳିଲାନି ଓଲଟି ବଦଳି ଦେଲା, ଏହାହିଁ ବିଜେପିର ଓଡ଼ିଆ ଅସ୍ମିତା : ବିଜେଡି

ଭୁବନେଶ୍ବର : ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି। ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମରାଗଲା, ସେ ଏନେଇ ଅଭିଯୋଗ ମଧ୍ୟ କଲେ । ହେଲେ ମୋହନ ସରକାର ଏଯାଏଁ ତାଙ୍କୁ ନ୍ୟାୟ ଦେଇ ପାରିଲେନି, ଓଲଟି ତାଙ୍କୁ ବଦଳି କରାଗଲା। ଏହାହିଁ ବିଜେପି ସରକାରର ଓଡ଼ିଆ ଅସ୍ମିତା ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବୈକୁଣ୍ଠ ପ୍ରଧାନ ଗଭର୍ଣ୍ଣସ ସେକ୍ରେଟାରିଏଟରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସେ ଏଏସଓ ଭାବେ ନିଯୁକ୍ତ ଥିଲେ। ଚଳିତ ରଥଯାତ୍ରା ସମୟରେ ରାଷ୍ଟ୍ରପତି ଗସ୍ତ ନିମନ୍ତେ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ତାଙ୍କୁ ପୁରୀ ରାଜଭବନକୁ ପଠାଯାଇଥିଲା। ହେଲେ ସେଠାରେ ଅବସ୍ଥାପିତ ସମୟରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ତାଙ୍କୁ ମାଡ ମାରିଥିଲେ। କେବଳ ମାଡ ମାରିନଥିଲେ ତାଙ୍କ ଜୋତାରେ ଛେପ ପକାଇ ତାକୁ ଚାଟିବାକୁ କହିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାକୁ ୧୦ ଦିନ ହେଲାଣି, ତଥାପି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ । ରାଜ୍ୟ ସରକାର ଓଡିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି । ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ବୋଲି କହିଛନ୍ତି ଲେଖାଶ୍ରୀ।

ଏଥିସହ ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, ଜଣେ ଅଣ ଓଡିଆ ଲୋକ ଓଡିଆଙ୍କୁ ନିସ୍ତୁକ ମାଡ ମାରୁଛନ୍ତି । ସର୍ବଭାରତୀୟ ସ୍ତରରେ ଓଡିଶା ନିନ୍ଦିତ ହେଉଛି । ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ନିର୍ଯାତନା ପାଇବା ପରେ ଏଏସଓ ବୈକୁଣ୍ଠ ପ୍ରଧାନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ପାଖରେ ନିଜର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି। ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖଦାୟକ, ହୃଦୟବିଦାରକ କଥା। ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ମୁଖା ଖୋଲିଛି। ଅସ୍ମିତା କଥା କହୁଥିବା ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନନେବା ଘଟଣା ଓଡ଼ିଶାକୁ ନିନ୍ଦିତ ଓ ଲଜ୍ଜିତ କରୁଛି।

ରାଜ୍ୟ ସରକାର ନିରବ ରହିବା ଦର୍ଶାଉଛି ଯେ ସେମାନଙ୍କ କ୍ଷମତା ଲୋଭ ରହିଛି। ଆଇନ୍ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ୍ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ୍ ଆମେ ପ୍ରଥମ ଥର ଦେଖୁଛୁ । ଗର୍ଭଣ୍ଣର ପୁଅ ବୋଲି କଣ ସାତ ଖୁନ୍ ମାଫ୍ ବୋଲି ପ୍ରଶ୍ନ କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗତ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇ କହିଛନ୍ତି, ନବୀନ ସରକାର ଥିଲାବେଳେ ଯିଏ ଦୋଷୀ ହେଉଥିଲା ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନବୀନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହେଲେ ଏଠି କିନ୍ତୁ ସରକାର ୧୦ ଦିନ ହେଲାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ।

ନ୍ୟାୟ ପାଇଁ ଗୁହାରି କରୁଥିବା ବୈକୁଣ୍ଠ ପ୍ରଧାନଙ୍କୁ ଗତକାଲି ମୋହନ ସରକାର ଗୃହ ବିଭାଗକୁ ବଦଳି କରିଛନ୍ତି। ଯାହାକୁ ନେଇ ଲେଖାଶ୍ରୀ କହିଛନ୍ତି ଓଡ଼ିଆ ଅଫିସର ମାଡ ଖାଇଲେ , ହେଲେ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ବଦଳି କରିଦିଆଗଲା। ହେଲେ ରାଜ୍ୟପାଳଙ୍କ ପୁଅ କଲର ଟେକି ବୁଲୁଛନ୍ତି। ମୋହନ ସରକାର କୁହନ୍ତୁ ଯେ ଆମେ ଭୋଟ ପାଇଁ ଭଣ୍ଡେଇବାକୁ ଓଡ଼ିଆ ଅସ୍ମିତା କଥା କହୁଥିଲୁ। ନ ହେଲେ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରନ୍ତୁ। ଜଣେ ସାଧାରଣ ଲୋକ ଏପରି କରିଥିଲେ ଗିରଫ ହୋଇଥାନ୍ତା ନା ନାହିଁ। ସସମ୍ତଙ୍କ ପାଇଁ ଆଇନ ଗୋଟିଏ ହେଉ। ଯଦି ରାଜ୍ୟପାଳଙ୍କ ପୁଅ ଗିରଫ ନ ହେଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରି ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବ ବୋଲି ମଧ୍ୟ କହିବା ସହ ବିଜେପିକୁ ଚେତାବନି ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର।

You might also like
Leave A Reply

Your email address will not be published.