Odia news portal

କର୍ପୋରେଟର, ସରପଞ୍ଚଙ୍କୁ ପ୍ରଣବ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର : ମିଶନ ୨୦୨୪ ପାଇଁ ବିଜେଡି ସମରସଜ୍ଜା ଆରମ୍ଭ କରି ଦେଇଛି। ଉତ୍ତର ଭୁବନେଶ୍ଵର ଗଡ଼ରେ ପୁଣି ବିଜୟ ପତାକା ଉଡ଼ାଇବାକୁ ବିଜେଡି ରଣନୀତି ତିଆରି କରିଛି। ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନରେ ଶନିବାର ମଧ୍ୟାହ୍ନରେ ପ୍ରାୟ ୪୫ ମିନିଟ୍ ଯାଏଁ ନିର୍ବାଚନ ବୈଠକ ହୋଇଥିଲା।

ବୈଠକର ଗୁରୁତ୍ଵ ଏତେ ଯେ ବିଧାୟକଙ୍କ ସହ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ। ଉତ୍ତର ନିର୍ବାଚନମଣ୍ଡଳୀର ୨୧ କର୍ପୋରେଟର, ୫ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ପ୍ରମୁଖ ନେତା, ଛାତ୍ର, ଯୁବ ଓ ମହିଳା ସଂଗଠନର ଛାମୁଆ ନେତାମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ଦଳର ସାଂଗଠନିକ ସମ୍ପାଦକ । ପ୍ରତି ବୁଥରେ କିଭଳି ଦଳ ଭୋଟ ବଢ଼ିବ, ସେଥିପାଇଁ ରୋଡ୍ ମ୍ୟାପ ତିଆରି ହୋଇଥିଲା।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିନ ପ୍ରାୟ ୧୨ଟାବେଳେ ୟୁନିଟ୍-୪ ସ୍ଥିତ ବିଧାୟକ ଶ୍ରୀ ରାଉତଙ୍କ ସରକାରୀ ବାସଭବନରେ
ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ହେଲା, ନିର୍ବାଚନମଣ୍ଡଳୀର ପ୍ରତି ୧୦ ଘର ପାଇଁ ୨ ଜଣ ସକ୍ରିୟ ସଭ୍ୟ ନିୟୋଜିତ ହେବେ ।

ସେମାନେ ପ୍ରତି ପରିବାର ଲୋକଙ୍କୁ ଭେଟିବେ। ବିଜେଡି ପ୍ରତି କିଭଳି ସମର୍ଥନ ବଢ଼ିବ, ସେ ଦିଗରେ କାର୍ଯ୍ୟ କରିବେ । ଯେଉଁଠାରେ ସମସ୍ୟା କିମ୍ବା ଜନଅସନ୍ତୋଷ ଅଛି, ସେ ବିଷୟରେ ବିଧାୟକଙ୍କୁ ଜଣାଇବେ। ବୈଠକରେ କୁହାଯାଇଥିଲା, ବିଜେଡିର ବଳ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା। ଏସବୁ ଜନକଲ୍ୟାଣକାରୀ ଯୋଜନାର ସଫଳତା ଓ ସରକାରୀ ପ୍ରକଳ୍ପ ବାବଦରେ ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଅ। ଏମିତିକି ଉତ୍ତର ନିର୍ବାଚନମଣ୍ଡଳୀରେ ସରକାର ଯାହା ବିକାଶମୂଳକ କାମ କରିଛନ୍ତି, ତା’ର ତାଲିକା ତିଆରି କରି ଲୋକଙ୍କୁ ଜଣାଅ । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଅଧିକ ପ୍ରଚାର, ପ୍ରସାର କର। ନିର୍ବାଚନ ଘୋଷଣା ପୂର୍ବରୁ ଯାହା ଅଧୁରା କାମ ଅଛି, ତା’କୁ କେମିତି ସାରିବାକୁ ହେବ, ସେ ଦିଗରେ ସମସ୍ତେ ପ୍ରୟାସ କରିବେ । ପଟ୍ଟା ବଣ୍ଟନକୁ ଆହୁରି ତ୍ବରାନ୍ବିତ କରିବାକୁ କୁହାଯାଇଛି।
ବିଧାୟକ ସୁଶାନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଆମକୁ ମଇଦାନକୁ ଓହ୍ଲାଇବାକୁ ହେବ ।

ନିର୍ବାଚନମଣ୍ଡଳୀରେ ଯାହା ବି ସମସ୍ୟା ରହିଛି ମୋତେ ଜଣାନ୍ତୁ। ମୋ’ ଦ୍ଵାର ୨୪ ଘଣ୍ଟା ଖୋଲା ରହିଛି। ବୈଠକରେ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ମିହିର ରାଉତ, ଜୟନ୍ତୀ ସାହୁ, ମୋନାଲିସା ସାହୁ, ପୂଜା ମହାରଣା, ପ୍ରୀତିନନ୍ଦା ରାଉତରାୟ, ଯୁବନେତା ଭୋଳାନାଥ ମହାରଣା, ମନୋଜ ସାହୁ, ପ୍ରସନ୍ନ ସାହୁଙ୍କ ସହ ପାଞ୍ଚ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଯୁବନେତା,ମହିଳାମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.