Odia news portal

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ ଦୁର୍ବଳତାରେ ପୀଡ଼ିତ ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଏମ.ମୁର୍ମୁ ରୋଗୀଙ୍କ ପିତାମାତାଙ୍କୁ ତୁରନ୍ତ ବି’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବ ବୋଲି ସେ ଜଣାଇଥିଲେ । ଏହି ସମୟରେ ହସ୍ପିଟାଲ ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ରୋଗୀଙ୍କ ପିତାମାତା ଅସହାୟ ହୋଇପଡ଼ିଥିଲେ । ସମାନ ସମୟରେ ସେହି ହସ୍ପିଟାଲରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ହେଲପର୍ ବିଜୟ କିସନ୍ ଏହି ରୋଗୀଙ୍କ ସଂକ୍ରାନ୍ତରେ ସୂଚନା ପାଇଥିଲେ ଏବଂ ରୋଗୀଙ୍କ ପିତାମାତା ତାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ଏହି ୧୩ ବର୍ଷିୟ ବାଳକଙ୍କ ଜୀବନ ରକ୍ଷା କରିବା ପାଇଁ ବିଜୟ ତୁରନ୍ତ ଆଗେଇ ଆସିଥିଲେ ଏବଂ ଉକ୍ତ ରୋଗୀଙ୍କୁ ଯାଇ ରକ୍ତଦାନ କରିଥିଲେ । ତାଙ୍କର ଏହି ମହାନତା ଯୋଗୁଁ ଆଜି ଏକ ନିରୀହ ତଥା ବହୁମୂଲ୍ୟ ଜୀବନ ବଂଚିଯାଇପାରିଛି । ପ୍ରକାଶଥାଉ କି ଏହା ପୂର୍ବରୁ ଚଳିତବର୍ଷ ମେ ୨୨ ତାରିଖରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଅମ୍ରିତ ସିଂହ ମଧ୍ୟ ଏହି ସମାନ ରୋଗୀଙ୍କୁ ରକ୍ତଦାନ କରିଥିଲେ ।

You might also like
Leave A Reply

Your email address will not be published.