ରାଉରକେଲା : ସେକ୍ଟର-୬ ଟେଲିଫୋନ ଭବନ ସମ୍ମୁଖ ତଥା ସେକ୍ଟର-୧୮ ରିଙ୍ଗରୋଡ଼ କଡ଼ରେ ଗଢ଼ି ଉଠିଥିଲା ଏକ ବସ୍ତି । ଯାହାକୁ ଗଣେଶ ବସ୍ତି ବୋଲି କୁହାଯାଉଥିଲା । ଏଠାରେ ରହିଥିଲା ୧୧୫ଟି ଘର । ତେବେ ଏହି ସ୍ଥାନରେ ଆରଏସ୍ପି ପକ୍ଷରୁ ମହାତ୍ମା ଗାନ୍ଧି ପାର୍କ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଥିଲା । ବସ୍ତିରେ ରହୁଥିବା ଲୋକଙ୍କୁ ଥଇଥାନ କରିବା ଲାଗି ଆରଏସ୍ପି ପକ୍ଷରୁ ସେକ୍ଟର-୬ ଦୁର୍ଗାପୁର ପାହାଡ଼ ତଳେ ଜାଗା ମଧ୍ୟ ଦିଆଯାଇଥିଲା । ଏପରିକି ଲୋକଙ୍କୁ ଘର ତିଆରି ଲାଗି ଜାଗା ଦିଆଯିବା ସହ ରାସ୍ତା, ଘରର ଆସବାବପତ୍ର ନେବା ଲାଗି ଗାଡ଼ିର ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ଆରଏସ୍ପି ପକ୍ଷରୁ କରାଯାଇଥିଲା ।
୬୦ ଜଣ ଲୋକ ନିଜ ଘର ଖାଲି କରି ଥଇଥାନ କରାଯାଇଥିବା ସ୍ଥାନକୁ ଚାଲି ଯାଇଥିଲେ । ମାତ୍ର, ବାକି ୫୫ ଜଣ ଲୋକ ଘର ଖାଲି କରୁନଥିଲେ । ଏମାନଙ୍କୁ ଆରଏସ୍ପି ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯିବା ସହ ଘର ଖାଲି କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା । କିନ୍ତୁ, ଆରଏସ୍ପିର ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ ବାକି ରହିଥିବା ବସ୍ତି ବାସିନ୍ଦା । ମରିଯିବେ ପଛେ ଜାଗା ଛାଡ଼ିବୁ ନାହିଁ ବୋଲି କହିଥିଲେ ବସ୍ତି ବାସିନ୍ଦା । ଶେଷରେ ଆରଏସ୍ପି କର୍ତ୍ତୃପକ୍ଷ ରାଉରକେଲା ପୋଲିସ୍ର ସହାୟତା ନେଇଥିଲେ । ଆଜି ବସ୍ତି ଉଚ୍ଛେଦ କରିବା ଲାଗି ଜଣେ ମାଜିଷ୍ଟ୍ରେଟ୍, ଅତିରିକ୍ତ ଏସ୍ପିଙ୍କ ସମେତ ସମସ୍ତ ଥାନାର ଅଧିକାରୀ ଏବଂ ୩ ପ୍ଲାଟୁନ୍ ପୋଲିସବାହିନୀ ସେଠାରେ ପହଞ୍ଚିଥିଲେ । ପୋଲିସ୍ ସହ ଆରଏସ୍ପି ସହରସେବା ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସି ରହିଥିଲେ ବସ୍ତି ବାସିନ୍ଦା । ଏମାନଙ୍କ ସହ ମୁକ୍ତିକାନ୍ତ ବିଶ୍ୱାଳ ମଧ୍ୟ ଧାରଣାରେ ବସିଥିଲେ । ସେମାନଙ୍କୁ ପୋଲିସର ବରିଷ୍ଠ ଅଧିକାରୀ ଏବଂ ଆରଏସ୍ପି ଅଧିକାରୀମାନେ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳିନଥିଲା । ବସ୍ତିଲୋକ ଜାଗା ନ ଛାଡ଼ିବାକୁ ଜିଦ୍ ଧରି ବସିବା ସହ ଘରଗୁଡ଼ିକୁ ଭାଙ୍ଗିବାକୁ ଦେଉନଥିଲେ । ମୁକ୍ତିକାନ୍ତଙ୍କୁ ଧାରଣାସ୍ଥଳରୁ ଉଠାଇବା ସମୟରେ ପୋଲିସ୍ କର୍ମଚାରୀଙ୍କୁ ବିରୋଧ କରିଥିଲେ ଲୋକେ । ଫଳରେ ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମୁକ୍ତିକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଥିଲା ।