Odia news portal

ପୁଣି ଏସିଆର ବଡ଼ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଭାବେ ଚୟନ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର : ଏଏଫ୍‌ସି ମହିଳା ଏସିଆ କପ୍‌ର ୨୦୨୨ ସଂସ୍କରଣ ଭାରତ ଆୟୋଜନ କରିବ । ଏସିଆନ ଫୁଟବଲ କନଫେଡେରେସନ୍‌ (ଏଫ୍‌ସି) ଓ ଆଞ୍ଚଳିକ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଘୋଷଣା କରାଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

୨୦୨୨ ଜାନୁଆରୀ ୨୦ ତାରିଖରୁ ଏସିଆ କପ୍‌ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖରେ ଶେଷ ହେବ । ଓଡ଼ିଶା କ୍ରୀଡ଼ା ପାଇଁ ବେଶ ଖୁସିର ବିଷୟ । ଭୁବନେଶ୍ୱରଠୁ ଦେଶରେ ବହୁ ବଡ଼ ବଡ଼ ସହର ଥାଇବି ଆୟୋଜକ କମିଟି କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବେ ଚୟନ କରିଛନ୍ତି । ପୂର୍ବରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଏକ ପ୍ରମୁଖ ଭେନ୍ୟୁ ଭାବେ ଭୁବନେଶ୍ୱର ସାମିଲ ରହିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରାଯାଇଥିଲା । ହେଲେ ବିଶ୍ୱକପ୍‌ର (୨୦୨୨) ପରବର୍ତ୍ତୀ ସଂସ୍କରଣ ଭାରତ ଆୟୋଜନ କରିବ ଏବଂ ପୂର୍ବ ନିର୍ଦ୍ଧାରିତ ସମାନ ଭେନ୍ୟୁରେ ଖେଳାଯିବ । ଅର୍ଥାତ ଭୁବନେଶ୍ୱର ପୂର୍ବଭଳି ବିଶ୍ୱକପ୍‌ର ଭେନ୍ୟୁ ରହିଛି । କେବଳ ସେତିକି ନୁହଁ ଭୁବନେଶ୍ୱରରେ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଭାରତ-କାତାର ମ୍ୟାଚ୍‌ ଖେଳାଯିବାର ଥିଲା । ତାହା ବି କରୋନା ଯୋଗୁ ବାତିଲ ହୋଇଥିଲା ।

ଏବେ ପୁଣି ଏସିଆର ଏକ ବଡ଼ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଭାବେ ଚୟନ ହୋଇଛି କଳିଙ୍ଗ ଷ୍ଟାଡିୟମ । ଯାହା ଓଡ଼ିଶା ପାଇଁ ଗୌରବର ବିଷୟ । ଜୁନିୟର ମହିଳା ବିଶ୍ୱକପ୍‌ ପାଇଁ ଫିଫାର ନିୟମାବଳୀ ଅନୁସାରେ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା । ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୫ ହଜାରକୁ ବୃଦ୍ଧି କରାଯାଇଛି । ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଏସିଆ କପ୍‌ର ଦ୍ୱିତୀୟ ଭେନ୍ୟୁ ରହିଛି । ଏହାର ଦର୍ଶକ ଧାରଣ କ୍ଷମତା ୩୭,୯୦୦ ଥିବାବେଳେ ପୂର୍ବରୁ ଏଠାରେ ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ୍‌ ଆୟୋଜିତ ହୋଇଥିଲା ।

ସେହିପରି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌-୨୦୨୨ର ମଧ୍ୟ ଭେନ୍ୟୁ ରହିଛି । ଅହମ୍ମଦାବାଦ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ରହିଛି ୨୦ ହଜାର । ପୂର୍ବରୁ ଏଠାରେ ୨୦୧୯ରେ ଏଏଫ୍‌ସି କପ୍‌, ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଆୟୋଜିତ ହୋଇଥିବାବେଳେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌-୨୦୨୨ ର ମଧ୍ୟ ଏକ ପ୍ରମୁଖ ଭେନ୍ୟୁ ଭାବେ ସାମିଲ ରହିଛି ।

ସର୍ବଭାରତୀୟ ଫୁଟବଲ ସଂଘର ସଭାପତି ତଥା ଫିଫା କାଉନସିଲ ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି, ୨୦୨୨ରେ ଏସିଆ କପ୍‌ ଆୟୋଜନ କରିବା ନେଇ ବେଶ୍‌ ଉତ୍ସାହିତ ରହିଛୁ । ଅହମ୍ମଦାବାଦ, ଭୁବନେଶ୍ୱର ଓ ମୁମ୍ବାଇ ୩ ଭେନ୍ୟୁର ନାମ ଘୋଷଣା କରାଯାଇଛି । ଏହି ସବୁ ଷ୍ଟାଡିୟମରେ ଫୁଟବଲ ଭିତ୍ତିଭୂମିର ବିକାଶ ନେଇ ବହୁ କାର୍ଯ୍ୟ କରାଯାଇଛି । ପୂର୍ବରୁ ମୁମ୍ବାଇରେ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ଆୟୋଜିତ ହୋଇଥିଲା । ଆମେ ଏକ ନୂଆ ଭେନ୍ୟୁ ଭାବେ ଭୁବନେଶ୍ୱରକୁ ଚୟନ କରିଛୁ ।’ଆୟୋଜକ ଭାବେ ଭାରତ ଏଫ୍‌ସି ମହିଳା ଏସିଆ କପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରି ସାରିଛି । ଏହାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

You might also like

Leave A Reply

Your email address will not be published.