Odia news portal

ବିଜେଡ଼ି ସରକାର ବେଳର ନିଷ୍ପତ୍ତିକୁ କପି ପେଷ୍ଟ କରିବା ବନ୍ଦ କରୁ ବିଜେପି ସରକାର : ବିଜେଡ଼ି

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତି ମାର୍ଚ୍ଚରେ ହୋଇଥିଲା
କ୍ୟାବିନେଟରେ ପୁରୁଣା ନିଷ୍ପତିକୁ ଆଣି ହାସ୍ୟାସ୍ପଦ ସ୍ଥିତିକୁ ସାମ୍ନା କରିଛନ୍ତି

ପହଣ୍ଡି ବିଭ୍ରାଟ ଉପରୁ ନଜର ହଟାଇବାକୁ ଏଭଳି ତରବରିଆ କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ମେୟର ତଥା ବିଜେଡ଼ିର ବରି ନେତା ଶ୍ରୀ ସୁବାସ ସଂ କହିଥିଲେ, ରାଜ୍ୟ‌ କ୍ୟାବିନେଟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ପାରିତ ପ୍ରସ୍ତାବ ଦେଖି ଆଜି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ଗତ ମାର୍ଚ୍ଚ ୧୩, ୨୦୨୪ ତାରିଖରେ କ୍ୟାବିନେଟରେ ପ୍ରସ୍ତାବ ପାରିତ ପରେ ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୪ ମାର୍ଚ୍ଚ ମାସ ୧୫ ତାରିଖରୁ ବର୍ଦ୍ଧିତ ମଜୁରୀକୁ କାର୍ଯ୍ୟକାରୀ କରିବାକୁ ଶ୍ରମ ସଚିବ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚକୁଶଳୀ କାରିଗରଙ୍କ ପାଇଁ ଶ୍ରୀ ନବୀନ ପଟ୍ଟନାୟକ, ୩ ମାସ ତଳେ ଯାହା ଘୋଷଣା କରି କାର୍ଯ୍ୟକାରୀ କରିଥିଲେ, ତାକୁ ସମାନ ଢଙ୍ଗରେ ଆଣିଛନ୍ତି ନୂଆ ସରକାର । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।‌ ଆଶ୍ଚର୍ଯ୍ୟର କଥା, ନୂଆ ସରକାର ଆସିବା ପରେ ବସିଥିବା ଦ୍ୱିତୀୟ କ୍ୟାବିନେଟରେ ସମାନ ପ୍ରସ୍ତାବକୁ ଆଣି ପୁଣି ପାରିତ କରାଯାଇଛି ଓ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବିଡମ୍ବନାର କଥା ଯେ, ପୂର୍ବ ସରକାର ବେଳୁ ଯେ ଏଭଳି ନିଷ୍ପତି କାର୍ଯ୍ୟକାରୀ ହୋଇସାରିଛି, ତାହା ନୂଆ ସରକାରଙ୍କୁ ଜଣାନାହିଁ । ଲାଗୁଛି, ଆଡପ ପହଣ୍ଡି ବିଜେ ବେଳେ ହୋଇଥିବା ବିଭ୍ରାଟରୁ ନଜର ହଟାଇବାକୁ ଏଭଳି ତରବରିଆ ଭାବେ କ୍ୟାବିନେଟରେ ପୁରୁଣା ନିଷ୍ପତିକୁ ଆଣି ହାସ୍ୟାସ୍ପଦ ସ୍ଥିତିକୁ ସରକାର ସାମ୍ନା କରିଛନ୍ତି ।

ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ । ଆଉ ସେହି କ୍ରମରେ ଗତ ମାର୍ଚ୍ଚ ମାସରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଏକକାଳିନ ୧୦୦ ଟଙ୍କା ବୃଦ୍ଧି କରିଥିଲେ, ଯାହା ସାରା ଦେଶରେ ବିରଳ ଥିଲା । ତେଣୁ ନବୀନ ବାବୁଙ୍କ ସମୟର ନିଷ୍ପତିକୁ ପୁଣିଥରେ ମିଡିଆ ଆଗରେ ଆସି ଘୋଷଣା କରି ଯେଉଁ ବାହାବା ନେବାକୁ ନୂଆ ସରକାର ଉଦ୍ୟମ କରୁଛନ୍ତି, ଏଥିରେ ସେମାନେ ସଫଳ ହେବେ ନାହିଁ । ସାରା ଦେଶରେ ଶ୍ରମିକଙ୍କ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଶ୍ରୀ ନବୀନ ପଟ୍ଟନାୟକ ନଜିର ସୃଷ୍ଟି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.