Odia news portal

ମେୟର ଏକାଦଶକୁ ୫୦ ରନରେ ହରାଇ କମିଶନର ଏକାଦଶ ବିଜୟୀ

ଭୁବନେଶ୍ୱର,(ଚକ୍ରଧର ମାଝି) : ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରିକ୍ରେସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ ଖେଳକୁଦ ପ୍ରତିଯୋଗୀତା । ଏହାର ଅଂଶ ସ୍ୱରୂପ ଆଜି କିଟ୍ କ୍ରିକେଟ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ।

ଏହି ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ମେୟର ଏକାଦାଶ, କମିଶନର ଏକଦାଶକୁ ଭେଟିଥିଲା । କମିଶନର ଏକାଦଶ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ କମିଶନର ଏକାଦଶର ମାତ୍ର ୬ ଉଇକେଟ ହରାଇ ୧୫୫ ରନ୍ କରିଥିଲା । ଅମରେନ୍ଦ୍ର ମହାପାତ୍ରଙ୍କ ୭୫ ରନ ଏବଂ ସନତ ମିଶ୍ରଙ୍କ ୨୭ ରନ୍ ବଳରେ ୧୫୫ ରନ୍ କରି ଏକ ବିଶାଳ ସ୍କୋର ମେୟର ଏକାଦଶ ପାଇଁ ରଖିଥିଲା । ଓପନର ଭାବେ ଡେପୁଟି କମିଶନର ରମେଶ ଜେନା ଏବଂ ରଶ୍ମିରଞ୍ଜନ ପଡିଆକୁ ଓହ୍ଲାଇ ଥିଲେ । ମାତ୍ର ମେୟର ଏକାଦଶର ନୁରୁସାନଙ୍କ ବୋଲିଂ ଆଗରେ ରଶ୍ମି ରଂଜନ ବେଶି ସମୟ ତିଷ୍ଠି ପାରିନଥିଲେ ।

ତେବେ ସନତ ମିଶ୍ର ଓ ରମେଶ ଜେନା ଯୋଡି କିଛି ସମୟ ଖେଳିଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ସ୍କୋର କରିପାରି ନଥିଲେ । ସନତ ମିଶ୍ର ଗୋଟିଏ ଛକା ଓ ୩ଟି ଚଉକା ବଳରେ ୨୭ ରନ କରି ପାଭଲିୟନକୁ ଫେରିଆସିଥିଲେ । ତେବେ ଅମରେନ୍ଦ୍ର ମହାପାତ୍ର ପଡିଆକୁ ଓହ୍ଲାଇବା ପରେ ଛକା ଚଉକା ବର୍ଷା କରିଥିଲେ । ଅମରେନ୍ଦ୍ର ମାତ୍ର ୪୩ଟି ବଲ୍‌କୁ ସାମ୍ନା କରି ୭ଟି ଛକା ଓ ୪ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ୭୫ ରନ କରି ମେୟର ଏକାଦଶ ପାଇଁ ଏକ ବିଶାଳ ସ୍କୋର ଠିଆକରାଇ ଦେଲେ । ୧୫୬ ରନ୍ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇ ଥିଲା ମେୟର ଏକାଦଶ । ମାତ୍ର ପ୍ରଥମରୁ ମେୟର ଏକାଦଶର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ମେୟର ଏକାଦଶର କ୍ୟାପଟେନ ଜିରୋରେ ଆଉଟ ହେବା ପରେ ଖେଳାଳୀଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା ।

ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଓ ଡେପୁଟି କମିଶନର ରମେଶ ମହାପାତ୍ରଙ୍କ ଘାତକ ବୋଲିଂ ଆଗରେ ମେୟର ଏକାଦଶର ଖେଳାଳୀମାନେ ଜଣକ ପରେ ଜଣେ ଆଉଟ ହୋଇ ପାଭଲିୟନକୁ ଫେରିଥିଲେ । ମେୟର ଏକାଦଶ ୧୪ ଓଭର ୨ଟି ବଲରେ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚ୍‌କୁ ଉଦ୍‌ଘାଟନ କରିଥିଲେ ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ।

ଏହି ଅବସରରେ ମାନନୀୟା ଡେପୁଟି ମେୟର ଶ୍ରୀମତି ମଞ୍ଜୁଲତା କହଁର, କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ସବୁ କର୍ପୋରେଟର, ବିଏମ୍‌ସିର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମ୍ୟାଚର ସଂଯୋଜନା କରିଥିଲେ ବିଏମ୍‌ସି ରିକ୍ରେସନ କ୍ଲବର ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ ।

You might also like
Leave A Reply

Your email address will not be published.