ଭୁବନେଶ୍ୱର : ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ଏବଂ ଜର୍ମାନୀ ଚମତ୍କାର ପ୍ରଦର୍ଶନ ସହ ହକି ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛନ୍ତି । ଆସନ୍ତା ୨୯ ତାରିଖ ଟାଇଟଲ ଲଢ଼େଇରେ ଦୁଇ ଦଳ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହାପୂର୍ବରୁ ବ୍ରୋଞ୍ଜ ପଦକ ମୁକାବିଲା ବିଶ୍ୱର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଓ ୩ ନମ୍ବର ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବ ।
ଶୁକ୍ରବାର ପ୍ରଥମ ସେମି ଫାଇନାଲ୍ ଦୁଇ ଥର ବିଶ୍ୱକପ୍ ବିଜେତା (୨୦୦୨ ଓ ୨୦୦୬) ତଥା ୨୦୧୦ର ରନର୍ସ ଅପ୍ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ୫୭ ମିନିଟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩-୨ ଗୋଲରେ ଅଗ୍ରଣୀ ରହି ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲା । କିନ୍ତୁ ଶେଷ ୩ ମିନିଟରେ ଜର୍ମାନୀ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪-୩ ଗୋଲରେ ବିଜୟ ଲାଭ କରିଥିଲା । ଗୋଞ୍ଜାଲୋ ପେଲାଟଙ୍କ ହ୍ୟାଟ୍ରିକ ଏବଂ ଶେଷ ୬ ସେକେଣ୍ଡରେ ନିକଲାସ ୱିଲେନ ଆକର୍ଷଣୀୟ ଫିଲ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ।
ଦ୍ୱିତୀୟ ସେମି ଫାଇନାଲ ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମେ ୨-୨ ଗୋଲରେ ଅମୀମାଂସିତ ରହିବା ପରେ ମ୍ୟାଚ୍ ସୁଟ୍ ଆଉଟ୍କୁ ଯାଇଥିଲା । ଏଥିରେ ବେଲଜିୟମ ୩-୨ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।
ଦ୍ୱିତୀୟ ସେମିର ୪୪ ମିନିଟରେ ନିକୋଲାସ ଡି କେର୍ପେଲ ଏକ ଫିଲ୍ଡ ଗୋଲ ଦେଇ ନେଦରଲାଣ୍ଡ୍ସ ସହ ମ୍ୟାଚ୍ ୨-୨ରେ ବରାବର କରିଥିଲେ । ଶେଷ କ୍ୱାର୍ଟରରେ ବେଲଜିୟମ ଏକ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିଲେ ବି ତାହା ନିଷ୍ଫଳ ଯାଇଥିଲା । ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ମ୍ୟାଚ୍ ଅମୀମାଂସିତ ରହିବା ପରେ ସୁଟ୍ ଆଉଟ୍ ଆରମ୍ଭ ହୋଇଥିଲା ।
ନେଦରଲାଣ୍ଡ୍ସ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ଥିଜ ଭନ ଡାମଙ୍କୁ ବେଲଜିୟମ ଗୋଲକିପର ଭିନସେଣ୍ଟ ଭାନାଚ ଅଟକାଇବାରେ ସଫଳ ହୋଇଥିଲେ । କିନ୍ତୁ ପ୍ରଥମ ପ୍ରୟାସରେ ବେଲଜିୟମର ଫ୍ଲରେଣ୍ଟ ଭନ ଆବେଲ ସଫଳ ରହିଥିଲେ । ଦ୍ୱିତୀୟ ପ୍ରୟାସରେ ନେଦରଲାଣ୍ଡ୍ସର ଜୋରିଟ କ୍ରୁନ ସଫଳ ହୋଇଥିଲେ । ତେବେ ଆର୍ଥର ଡି’ ସ୍ଲୁଭର ସଫଳ ହେବାରୁ ବେଲଜିୟମ ୨-୧ରେ ଅଗ୍ରଣୀ ହୋଇଥିଲା । ତୃତୀୟ ପ୍ରୟାସରେ ଜୋନାସ ଡି’ ଜେଉସ ସଫଳ ହୋଇଥିଲେ । ଭିକ୍ଟର ୱେଗନେଜଙ୍କ ଗୋଲକୁ ଅଟକାଇବାକୁ ଯାଇ ନେଦରଲାଣ୍ଡ୍ସ ଗୋଲକିପର ପିରମିନ ବ୍ଲାକ ଫାଉଲ ମାରିଥିଲେ । ଫଳରେ ବେଲଜିୟମକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା । ଏହାକୁ ଟାନଗୟ କୋସିନ ଗୋଲ ଦେବାରେ ସଫଳ ହୋଇଥିଲେ । ଚତୁର୍ଥ ପ୍ରୟାସରେ ନେଦରଲାଣ୍ଡସର ଟେରାନ୍ସ ପିଏଟର୍ସ ଏବଂ ବେଲଜିୟମର କୋସିନ ମଧ୍ୟ ବିଫଳ ହୋଇଥିଲେ । ପଞ୍ଚମ ପ୍ରୟାସକୁ ସେଭ ଭନ ଆସ୍ ମିସ୍ କରିବା ପରେ ୩-୨ରେ ଅଗ୍ରଣୀ ଥିବା ବେଲଜିୟମ ବିଜୟୀ ହୋଇଥିଲା ।
ପ୍ରଥମ କ୍ୱାର୍ଟରରେ ନେଦରଲାଣ୍ଡ୍ସ ପ୍ରଭାବ ବିସ୍ତାର କରି ଖେଳିଥିଲା । ୭, ୧୦ ଓ ୧୧ ମିନିଟରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଶେଷ ପେନାଲ୍ଟିକୁ ଜିପ୍ ଜାନସେନ ଗୋଲରୂପ ଦେଇ ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ।ଏହି ହାଇଭୋଲ୍ଟେଜ ମୁକାବିଲାର ଦ୍ୱିତୀୟ କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିଅନ ପ୍ରତ୍ୟାବର୍ତ୍ତନ ସହ ଗୋଲ ପରିଶୋଧ କରିବାରେ ସଫଳ ରହିଥିଲା । ୨୬ ମିନିଟରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଏହାକୁ ଟମ୍ ବୁନ ଗୋଲରେ ରୂପାନ୍ତରିତ କରିଥିଲେ । ତୃତୀୟ କ୍ୱାର୍ଟରର ପ୍ରଥମ ୫ ମିନିଟ ମଧ୍ୟରେ ନେଦରଲାଣ୍ଡ୍ସ ପୁଣି ୨-୧ରେ ଅଗ୍ରଣୀ ଲାଭ କରିଥିଲା । ୩୫ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜିପ୍ ଜାନସେନ ଚମତ୍କାର ଫ୍ଲିକ ସହ ଗୋଲପୋଷ୍ଟରେ ପୂରାଇବାରେ ସଫଳ ରହିଥିଲେ । ୪୩ ମିନିଟରେ ବେଲଜିୟମ ଗୋଲ୍ ପରିଶୋଧ କରିବାର ସୁଯୋଗ ପାଇଥିଲା । ଦଳକୁ ମିଳିଥିବା ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ମିସ୍ ଯାଇଥିଲା । ଏହାର ଗୋଟିଏ ମିନିଟ ପରେ ନିକୋଲାସ ଡି’କେର୍ପେଲ ଫିଲ୍ଡ ଗୋଲ ଦେଇ ପୁଣି ନେଦରଲାଣ୍ଡ୍ସ ସହ ସ୍ଥିତି ୨-୨ରେ ବରାବର କରିଥିଲେ ।
ଚତୁର୍ଥ କ୍ୱାର୍ଟର ଖେଳ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା । ୪୩ ମିନିଟରେ ନେଦରଲାଣ୍ଡ୍ସ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ତାହା ନିଷ୍ଫଳ ଯାଇଥିଲା। ୫୦ ମିନିଟରେ ନେଦରଲାଣ୍ଡ୍ସ ଗୋଲକିପରଙ୍କ ଫାଉଲ ଯୋଗୁ ବେଲଜିୟମକୁ ଷ୍ଟ୍ରୋକ ମିଳିଥିଲା । କିନ୍ତୁ ଏହି ନିଶ୍ଚିତ ସୁଯୋଗକୁ ଅଭିଜ୍ଞ ଟମ୍ ବୁନ ହାତଛଡ଼ା କରିଥିଲେ । ଶେଷ ୧୦ ମିନିଟ ଖେଳ ସଂଘର୍ଷପୂର୍ଣ୍ଣ ହେବାରୁ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା ।
ଶନିବାର ଭାରତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ପୋଜିସନ୍ ମ୍ୟାଚ୍ ଖେଳିବ । ଏଠାରେ ମୋଟ୍ ୪ଟି ମ୍ୟାଚ୍ ୯ରୁ ୧୬ ସ୍ଥାନ ପାଇଁ ଖେଳାଯିବ। ପ୍ରଥମ ମ୍ୟାଚ୍ ମାଲେସିଆ-ଜାପାନ, ଦ୍ୱିତୀୟ ମ୍ୟାଚ୍ ଚିଲି-ଫ୍ରାନ୍ସ, ତୃତୀୟ ମ୍ୟାଚ୍ ଆର୍ଜେଣ୍ଟିନା-ୱେଲ୍ସ ଏବଂ ଶେଷ ମ୍ୟାଚ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।