Odia news portal

ବାଂଲାଦେଶକୁ ୫-୨ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୨୦ବର୍ଷରୁ କମ୍‌ ସାଫ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି । ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୫-୨ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା । ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୨-୨ ଗୋଲ୍‌ରେ ଡ୍ର’ ରହିଥିଲା । ଫଳରେ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା । ଏଥର ଭାରତ ସବୁ ଶକ୍ତି ଖଟାଇ ଗୋଲ୍‌ ବର୍ଷା କରିଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତ ଅଗ୍ରଣୀ ହାସଲ କରିଥିଲା । ଦଳକୁ ମିଳିଥିବା ଏକ ପେନାଲ୍ଟିକୁ ଗୁରକୀରତ ସିଂହ ଗୋଲ୍‌ରେ ପରିଣତ କରିଥିଲେ । ଏହାପରେ ବାଂଲାଦେଶ ମ୍ୟାଚ୍‌କୁ ଫେରିବା ପାଇଁ ସଂଘର୍ଷ କରିଥିଲା । ଅନ୍ୟ ପଟରେ ଘରୋଇ ଦଳ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲା । ୪୫ତମ ମିନିଟ୍‌ରେ ରଫିକ ଇସଲାମଙ୍କ ଏକ ପାସ୍‌କୁ ରାଜନ ହାୱଲଦାର ଗୋଲ୍‌ରେ ପରିଣତ କରିବା ଫଳରେ ୧-୧ରେ ସ୍ଥିତି ବରାବର ହୋଇଥିଲା ।

ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ୩ ମିନିଟ୍‌ ମଧ୍ୟରେ ବାଂଲାଦେଶ ଦ୍ୱିତୀୟ ଗୋଲ୍‌ କରିଥିଲା । ୪୮ତମ ମିନିଟ୍‌ରେ ମହମ୍ମଦ ପିୟାଶଙ୍କ ପାସ୍‌କୁ ସାହିନ ମିଆ ଗୋଲ୍‌ରେ ପରିଣତ କରିଥିଲେ । ୬୦ତମ ମିନିଟ୍‌ରେ ବିକାଶ ଓ ଅମନଦୀପ ମିଳିତ ଭାବେ ଗୁରଗୀରତଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲେ । ଗୁରକୀରତ ତ୍ରୁଟି ନକରି ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ ।

ଅତିରିକ୍ତ ସମୟ ଆରମ୍ଭ ହେବାର ୨ ମିନିଟ୍‌ ମଧ୍ୟରେ ଭାରତ ଅଗ୍ରଣୀ ହାସଲ କରିଥିଲା । ୯୨ତମ ମିନିଟ୍‌ରେ ହିମାଂଶୁ ଜାଙ୍ଗ୍ରା ଦଳ ପକ୍ଷରୁ ଏହି ଗୋଲ୍‌ କରିଥିଲେ ।

ଗୋଟିଏ ମିନିଟ୍‌ ପରେ ହିମାଂଶୁଙ୍କ ପାସ୍‌କୁ ଗୁରକୀରତ ଗୋଲ୍‌ରେ ପରିଣତ କରିଥିଲେ । ଭାରତ ୪-୨ ଗୋଲ୍‌ରେ ଆଗେଇଥିଲା । ଗୁରକୀରାତଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ହୋଇଥିଲା । ବାଂଲାଦେଶ ଲୟକୁ ଫେରିବାକୁ ପ୍ରୟାସ କରୁଥିବାବେଳେ ୯୯ତମ ମିନିଟ୍‌ରେ ଭାରତ ପଞ୍ଚମ ଗୋଲ୍‌ କରିଥିଲା । ୩୦ଗଜ ଦୂରରୁ ଏକ ଶକ୍ତିଶାଳୀ ସଟ୍‌ ମାରି ଗୁରକୀରତ ବ୍ୟକ୍ତିଗତ ଚତୁର୍ଥ ଗୋଲ୍‌ କରିଥିଲେ ।

ପରବର୍ତ୍ତୀ ୨୦ ମିନିଟ୍‌ ମଧ୍ୟରେ ବାଂଲାଦେଶ ମ୍ୟାଚ୍‌କୁ ଫେରିବା ପାଇଁ ଜୋରଦାର ଲଢେଇ କରିଥିଲା । ହେଲେ ଭାରତର ରକ୍ଷଣ ଭାଗ ଅତିକ୍ରମ କରିପାରି ନଥିଲା।

You might also like

Leave A Reply

Your email address will not be published.

twelve − 10 =