Odia news portal

ବିଏମ୍‍ସିର ବିକଳିଆ ପ୍ରଚାର ! ନିଜ କର୍ମଚାରୀଙ୍କ ଉପରେ ବିଏମ୍‍ସି ବାବୁଙ୍କ ଭରସା ନାହିଁ

ଭୁବନେଶ୍ୱର : ପ୍ରଚାର ସର୍ବସ୍ୱ ପାଲଟିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ବାବୁଙ୍କର ଆଉ ନିଜ କର୍ମଚାରୀଙ୍କ ଉପରେ ଭରସା ନାହିଁ । ଏମାନେ ଠିକଣା ଭାବେ ପ୍ରଚାର ପ୍ରସାରକୁ ପାରୁନଥିବାରୁ ବାବୁ ଏବେ ଅନ୍ୟ ଲୋକସମ୍ପର୍କ ଅଧିକାରୀଙ୍କ ଶରଣରେ ଅଛନ୍ତି । ଯେମିତି ହେଲେ ନିଜର ମୁଖ ନିଃସୃତ ବାଣୀ ଓ ଫଟୋ ଟିକେ ପ୍ରତିଦିନ ଗଣମାଧ୍ୟମରେ ବାହାରିବା ଆବଶ୍ୟକ । ବିଏମ୍‍ସି ଏବେ ଟିକାକରଣ ମାମଲାରେ ମୁଣ୍ଡ ପୁରାଇ ଏକ ପ୍ରକାର ଫସିଯାଇଛି । ବାରମ୍ବାର ନିଷ୍ପତ୍ତି ବଦଳାଇବା, ରଙ୍ଗିନ ପ୍ରଚାର କରି ଲୋକଙ୍କୁ ହତାଶ କରିବା, ଟିକା ଟୋକନ ବାଣ୍ଟିବାରେ ହେରଫେର ଆଦିର ଅଭିଯୋଗ ଏବେ ବିଏମ୍‍ସି ମୁଣ୍ଡରେ ପେଚା ଭଳି ବସିଛି ।

ଏଥି ସହିତ ନିକଟ ସମ୍ପର୍କୀୟଙ୍କୁ ସୂଚନା ନଦେଇ ଶବଦାହ କରିଦେବା ବି ବିଏମ୍‍ସିପାଇଁ ନୂଆ ଅଡୁଆ ଭାବେ ଉଭା ହୋଇଛି । ଏହାଛଡା ବିଏମ୍‍ସି ଇଲାକାରେ ଧିରେ ଧିରେ ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଲୋକେ ସ୍ମାର୍ଟସିଟିକୁ ଉପହାସ କରିବାରେ ଲାଗିଲେଣି ।
ତେଣୁ ଏଥିରୁ ମୁକ୍ତି ଲାଗି ବିଏମ୍‍ସି ପ୍ରତିଦିନ କିଛି ନା କିଛି ସଫଳତାର କାହାଣୀ ସୃଷ୍ଟି କରିବାରେ ଲାଗିଛି । ବୁଲା ପଶୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖାଦ୍ୟ ଯୋଗାଣ ହେଉ କିମ୍ବା ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଟିକାକରଣ ଯୋଜନା ହେଉ, ସବୁଥିରେ ଶ୍ରେୟର ଭାଗ ବସିବାପାଇଁ ବିଏମ୍‍ସି ବାବୁ ଟାକିକି ବସିଛନ୍ତି । ସବୁଥିରେ ଯେଭଳି କମିଶନରଙ୍କ ସହିତ ଜୋନ ସ୍ତରୀୟ ଅଧିକାରୀଙ୍କ ନାଁ ବାହାରିବ ତାହା ଉପରେ ଏବେ ବେଶି ଗୁରୁତ୍ୱ ଦିଆଯାଇଛି ।

ତେବେ ଏଥିରେ ଏବେ ଅଡୁଆ ହୋଇଛନ୍ତି ଖୋଦ୍‍ ବିଏମ୍‍ସି ବାବୁ । ପୂର୍ବରୁ ମୁହଁ ଖୋଲିବା ପୂର୍ବରୁ ସବୁକିଛି ଗଣମାଧ୍ୟମରେ ଖଚାଖଚ୍‍ ଲାଗି ଯାଉଥିବାବେଳେ ଏବେ ଅଧିକାଂଶ ଗଣମାଧ୍ୟମ ବାବୁଙ୍କ ସାଇଡ୍‍ ମାରିବା ଆରମ୍ଭ କରିଛନ୍ତି । ବିଶେଷକରି ବାବୁଙ୍କ ସାଇଡ୍‍ ମରାରେ ଅତିଷ୍ଠ ହୋଇ ମୁହଁମାଡି ରହିଥିବା ସଂଖ୍ୟାଧିକ ଗଣମାଧ୍ୟମ ଆଉ ଆଗଭଳି ବିଏମ୍‍ସି ଖବରକୁ ଆଖିବୁଜି ବସାଉ ନାହାନ୍ତି । ଅଧିକାଂଶ ତ ଦେଖିରେ ତାହାକୁ ଫୋପାଡି ଦେଉଛନ୍ତି । ଯିଏ ଦେଉଛି ତାହାକୁ କାଟି କୁଟି ପୂରା ସାଇଜ କରି ଛାଡୁଛନ୍ତି । ତେଣୁ ଏଥିରୁ ରକ୍ଷା ପାଇବାପାଇଁ ବିଏମ୍‍ସି ବାବୁ ଏବେ ନିଜର କିଛି ଅନୁଗତ ଲୋକସମ୍ପର୍କ ଅଧିକାରୀଙ୍କୁ ଖବର ପଠାଇ ତାହା ଯେଭଳି ବିଭିନ୍ନ ସ୍ଥାନରେ ପ୍ରକାଶିତ ହେବ ସେଥିପାଇଁ କହୁଛନ୍ତି । ଲୋକସମ୍ପର୍କ ବାବୁମାନେ ବି ପୂର୍ବ ସମ୍ପର୍କକୁ ମନେ ପକାଇ କାମରେ ଲାଗୁଛନ୍ତି । ହେଲେ ଗଣମାଧ୍ୟମରେ କିନ୍ତୁ ଯେଭଳି ପ୍ରକାଶ ପାଇବାକଥା ତାହା ହେଉନାହିଁ ।

ଓଲଟା ବିଏମ୍‍ସିର ଲୋକସମ୍ପର୍କ ଅଧିକାରୀମାନେ ନିଜକୁ ନ୍ୟୁନ ମନେ କରିବା ଆରମ୍ଭ କଲେଣି । ସେମାନେ ଏବେ ଦୋଛକିରେ ପଡୁଛନ୍ତି । ତେଣୁ ବାବୁଙ୍କ ପ୍ରଚାର ମୋହ ଆଗାମୀ ଦିନରେ ବିଏମ୍‍ସିର ଅନେକ କର୍ମଚାରୀଙ୍କୁ ନାମ ଦେବ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ବେଳ ଥାଉ ଥାଉ ଗଣମାଧ୍ୟମ ରୋଷର ଶିକାର ହେବା ପୂର୍ବରୁ ବିଏମ୍‍ସିର କିଛି କର୍ମଚାରୀ ନିଜର କିଛି ଦୋଷନାହିଁ ବୋଲି କହି ବୁଲୁଛନ୍ତି । ତେଣୁ ଏବେ ଗଣମାଧ୍ୟମ ଓ ବିଏମ୍‍ସି ମଧ୍ୟରେ ଯେଉଁ ଛକାପଞ୍ଝା ଆରମ୍ଭ ହୋଇଛି ତାହା ଆଗକୁ କି ରୂପ ନେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

You might also like

Leave A Reply

Your email address will not be published.