Odia news portal

ଟଙ୍କା ଗିଳା ବାବୁ ! ଚୋରା ମଦ ବେପାରୀଙ୍କ ଟଙ୍କା ହଡ଼ପ କରି ଚର୍ଚ୍ଚାରେ ଅଧିକାରୀ

ପାରାଦୀପ : ପାରାଦୀପରେ ଏବେ ଜଣେ ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଖେଳିଛି । ଚୋରା ମଦ ଚଢଉ ବେଳେ ବେପାରିଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଗାୟବ କରି ସେଥିରୁ ଟଙ୍କାତକ ହଡ଼ପ କରୁଥିବା ଏହି ଅଧିକାରୀ ଜଣଙ୍କ ଏବେ ପାରାଦୀପର ଟଙ୍କା ଗିଳା ଅଧିକାରୀ ଭାବେ ପରିଚିତ ହୋଇଛନ୍ତି । ଏକ ନିର୍ଦ୍ଦିଷ୍ଟ ବିଭାଗରେ କାମ କରୁଥିବା ଏହି
ଅଧିକାରୀ ଜଣଙ୍କୁ ଦେଖିଲା କ୍ଷଣି ମଦ ବେପାରି ମାନେ ପ୍ରମାଦ ଗଣିବା ଆରମ୍ଭ କରୁଛନ୍ତି । ମାସିକିଆ ବଟି ଦେବା ପରେ ବି ବେଳେ ବେଳେ ଟଙ୍କା ଦେବାରେ ଖିଲାପ ହେଲେ ନିଜ କର୍ମଚାରୀଙ୍କୁ ଧରି ଅଧିକାରୀ ଜଣଙ୍କ ପହଞ୍ଚିଯାଉଛନ୍ତି ଠିକଣା ଯାଗାରେ ।

ଚଢଉ ପୂର୍ବରୁ ତାଙ୍କର କର୍ମଚାରୀଙ୍କ ମାଧ୍ୟମରେ ଚଢଉ ହେବ ବୋଲି ହଠାତ୍‌ ଆଗୁଆ ଖବର ଦେଇ ଅତର୍କିତ ଚଢ଼ଉ କରିବା ଦ୍ୱାରା ମଦ ବେପାରି ମାନେ ଛାନିଆ ହୋଇ ଚୋରା ବେପାର ଯାଗା ଛାଡ଼ି ପଳାଉଛନ୍ତି । ଏହାପରେ ଅଧିକାରୀ ମନ ଇଚ୍ଛା ଚଢ଼ଉ କରି ଚୋରା ମଦ କାରବାର ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ନେଇ ଘଟଣାସ୍ଥଳରୁ ଗାୟବ ହୋଇଯିବା ଚର୍ଚ୍ଚା ହେଉଛି ।

ଏମିତିକି ନିଜ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ମଦ ଜବତ କରି ଅଫିସକୁ ନେଇ ପଳାନ୍ତି । ତା’ପରେ ବିଚରା ଚୋରା ବେପାରି ଅଫିସ୍‌ ଯାଇ ନିଜ ବେପାର କରି ରଖିଥିବା ଟଙ୍କା ବ୍ୟାଗ୍‌ ସିନା ଫେରିପାଏ ହେଲେ ସେଥିରେ ମାଲ୍‌ ନଥାଏ । କିଛିଦିନ ତଳେ ଷଣ୍ଢକୁଦ ବସ୍ତିର ଜଣେ ମଦ ବେପାରିଙ୍କ ଟଙ୍କା ବ୍ୟାଗ୍‌ରୁ ଏହି ଅଧିକାରୀ କୁଆଡ଼େ ୨୦ ହଜାର ନଗଦ ଟଙ୍କା ଗାୟବ କରିଦେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ଏଇ କଥା ବେପାରି ଜଣଙ୍କ କିଛି ଗଣମାଧ୍ୟମ ଆଗରେ ପ୍ରକାଶ କରିବାରୁ ତାଙ୍କରି ଘର ଉପରେ ଅଧିକାରୀ ରାଗ ରଖି ଚଢ଼ଉ କଲେ । ସେଇଭଳି ଗତକାଲି ପାରାଦୀପଗଡ଼ ଅଞ୍ଚଳରୁ ମଧ୍ୟ ଜଣେ ବେପାରି ଦୋକାନ ଉପରେ ଚଢଉ କରି ଟଙ୍କା ବ୍ୟାଗ୍‌ ନେଇ ପଳାଇଥିଲେ । ସେ ଟଙ୍କା ବ୍ୟାଗ୍‌ରୁ କେତେ ଟଙ୍କା ଗାୟବ ହୋଇଛି ତାହା ଜଣାପଡ଼ିନଥିଲେ ବି କିନ୍ତୁ ରାତିରେ ସଂପୃକ୍ତ ଚୋରା ବେପାରିଙ୍କୁ ନିଜ ଅଫିସକୁ ସଂପୃକ୍ତ ଅଧିକାରୀ ଡକାଇଥିବା ଖବର ଖେଳିଛି ।

You might also like

Leave A Reply

Your email address will not be published.