Odia news portal

ଏ ପାଣିରେ ଡାଲି ସିଝୁନାହିଁ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ଆସି ଦେଖନ୍ତୁ : ସାରଦା ପ୍ରଧାନ

ଦୁଇ କିଲୋମିଟର ଦୂରରୁ ପିଇବା ପାଣି ବୁହାହୋଇ ଆସୁଛି : ସରପଞ୍ଚଙ୍କ ହାତରେ ପାଣି ଚାବି

ଭୁବନେଶ୍ୱର : ବାଚସ୍ପତି ମହୋଦୟା ମୋ ଘରେ ଆବଶ୍ୟକ ପିଇବା ପାଣି ଦୁଇ କିଲୋମିଟର ଦୂରରୁ ବୁହାହୋଇ ଆସୁଛି । ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁ ନାହିଁ । ରୋଷେଇ ଗଣ୍ଡାଏ ହୋଇପାରୁ ନାହିଁ । ଆପଣ ନିଜେ ଆସିବା ସହିତ ସାଥିରେ ମନ୍ତ୍ରୀ, ବିଧାୟକ ମାନଙ୍କୁ ନେଇ ଆସନ୍ତୁ । ମୋ ଘରେ ଖାଇଲା ପରେ ଜାଣିବେ ରାଜଧାନୀ ଠାରୁ ୫୦ କିଲୋମିଟର ଦୂରରେ ଥିବା ସାହିତ୍ୟ ସଂସ୍କୃତିର ଅଞ୍ଚଳ ମାହାଙ୍ଗାର ବାସ୍ତବ ପାନୀୟଜଳ ସ୍ଥିତି କ’ଣ ।

ଆଜି ବିଧାନସଭାରେ ପ୍ରଶ୍ନକାଳରେ ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗାର ପାନୀୟଜଳ ସମସ୍ୟାକୁ ଏମିତି ଢଙ୍ଗରେ ଉପସ୍ଥାପନ କରିଥିଲେ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମାହାଙ୍ଗାରେ ଦୁଇ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨.୩୦ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ପ୍ରକଳ୍ପ ମେଘା ଇଞ୍ଜିନିୟରିଂ ସଂସ୍ଥା କରୁଥିବାବଳେ ୫୬ହଜାର ଲୋକଙ୍କ ପାଇଁ ବ୍ଲୁଷ୍ଟାର ନାମକ ସଂସ୍ଥା କରୁଛି । ଏହାବାଦ୍‍ ଆହୁରି ୬୦ହଜାର ଲୋକ ଗଭୀର ନଳକୂଳ ଉପରେ ନିର୍ଭରଶୀଳ । ହେଲେ ପ୍ରକଳ୍ପ କାର୍ଯ୍ୟ ସରୁନଥିବାରୁ ଲୋକେ ପାଣି ପାଇପାରୁ ନାହାନ୍ତି । ପ୍ରତି ପଞ୍ଚାୟତରେ ପାଇପ ପକା ଠିକାଦାର ନିଯୁକ୍ତି ଯୋଗୁଁ ବିଚିତ୍ର ସ୍ଥିତି ଉପୁଜିଛି । ମୁଖ୍ୟ ପାଣି ଲାଇନ୍‍ ପାଇଁ ବିଛା ଯାଇଥିବା ପାଇପ୍‍ ଠାରୁ ସବ୍‍ ଲାଇନ୍‍ ପାଇପଗୁଡିକ ଉପରେ ବିଛାଯାଉଛି । ଠିକାଦାରୀରେ ତାଳ ମେଳ ନଥିବାରୁ ଲୋକେ ହଇରାଣ ହେଉଛନ୍ତି ।

ମାହାଙ୍ଗାର ପୂର୍ବତନ ବିଧାୟକ ପଞ୍ଚାୟତିରାଜ ଓ ପାନୀୟଜଳ ଦାୟିତ୍ୱରେ ଥିଲେ । ସେତେବେଳେ ମୁଁ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିବାରୁ ମୋ ଘରକୁ ପାନୀୟଜଳ ସଂଯୋଗ ଦିଆଗଲା ନାହିଁ । ସରପଞ୍ଚଙ୍କ ଘର ନିକଟରେ ପାଣି ଚାବି ରହିଲା । ସରପଞ୍ଚମାନେ ଚାବି ମୋଡି ମନଇଚ୍ଛା ପାଣି ଦେଲେ । ବିଜେପିର ସରପଞ୍ଚ ସଂଖ୍ୟା କମ୍‍ ଥିବାରୁ ଲୋକେ ପାଣି ପାଇଲେ ନାହିଁ । ଏବେ ବି ୨ କିଲୋମିଟର ଦୂରରୁ ମୋ ଘରକୁ ପିଇବା ପାଣି ବୁହାହୋଇ ଆସୁଛି । ସେହି ପାଣିରେ ଡାଲି ସିଝୁ ନାହିଁ । ଜଳସ୍ତରର ୫୦୦ ଫୁଟି ତଳକୁ ଖସିଗଲାଣି । ନଳକୂପରୁ ଆଉ ପାଣି ମୁନ୍ଦାଏ ବାହାରୁନି । ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ଆସି ବାସ୍ତବ ସ୍ଥିତି କ’ଣ ତାହା ଦେଖା ଦେଖନ୍ତୁ ।

ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ନାୟକ କହିଥବଲେ ଯେ ମହାନଦୀ ଅବବାହିକାର ଦୁଇକୂଳେ ଏଭଳି ଅବସ୍ଥା । ମାହାଙ୍ଗାରେ ପାନୀୟଜଳ ଯୋଗାଣ ପାଇଁ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଚୁକ୍ତି ହୋଇଥିଲା । ୯୦ ପ୍ରତିଶତ କାମ ସରିଲାଣି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ପାନୀୟଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

You might also like
Leave A Reply

Your email address will not be published.