Odia news portal

୬୪ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦଘାଟିତ

ପ୍ରଥମ ଦିନରେ ଖୋର୍ଦ୍ଧା-ଭୁବନେଶ୍ୱର, ସମ୍ବଲପୁର ଓ କିସ୍ ବିଶ୍ୱବିଦ୍ୟାଳୟର ସନ୍ତରଣକାରୀମାନଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ବର,(ଚକ୍ରଧର ମାଝି) : ୬୪ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର ପ୍ରଥମ ଦିନରେ ଖୋର୍ଦ୍ଧା-ଭୁବନେଶ୍ୱର, ସମ୍ବଲପୁର ଓ କିସ୍ ବିଶ୍ୱବିଦ୍ୟାଳୟର ସନ୍ତରଣକାରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୧୫୦୦ ମିଟର ଫ୍ରିଷ୍ଟାଇଲରେ ଭୁବନେଶ୍ୱରର ଅବିନାଶ କୁମାର ସିଂହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୫୦୦ ମିଟର (ବାଳକ ଗ୍ରୁପ୍-୧)ରେ କିସ୍ ବିଶ୍ୱବିଦ୍ୟାଳୟର ରାଜେଶ ସୋରେନ୍, ମହିଳା ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ରେ ଭୁବନେଶ୍ୱରର ପ୍ରତ୍ୟୁଷା ରାୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ବାଳିକା (ଗ୍ରୁପ୍-୧) ଭୁବନେଶ୍ବରର ପ୍ରିୟଦର୍ଶନୀ ରାଉତ, ପୁରୁଷ (୧୦୦ ବ୍ୟାକ୍ ଷ୍ଟ୍ରୋକ୍)ରେ କଟକର ଅନମୋଲ ମହାନ୍ତି ଏବଂ ବାଳକ (ଗ୍ରୁପ୍-୩) ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ରେ ଶିବାଂଶ ଶତପଥୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କୃତି କ୍ରୀଡ଼ାବିତମାନଙ୍କୁ ପଦକ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସର ବୈଷୟିକ ନିର୍ଦ୍ଦେଶକ ଡଗ୍ଲାସ୍ ଏରିଗ୍ରେସ୍ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଶ୍ରୀମତୀ ଗୋଲାପମଣି ମହନ୍ତ, କୋଷାଧ୍ୟକ୍ଷ ତଥା ବୈଷୟିକ ମୁଖ୍ୟ ଶ୍ରୀ ସୁରେନ୍ଦ୍ର କୁମାର ନାୟକ, ଉପ-ସଭାପତି ଶ୍ରୀ ଅମର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଆଶୁତୋଷ ନାୟକ, ଶ୍ରୀ ରଙ୍କନିଧି ସେଠୀ, ଶ୍ରୀ ମନୋଜ ବଞ୍ଚୋର ଓ ସହଯୋଗୀମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ । ଅଲିମ୍ପିଆନ୍ ସନ୍ଦୀପ ସେଜୱାଲ (ଜେଏସଡବ୍ଲ୍ୟୁ)ପ୍ରତିଯୋଗିତା ଆୟୋଜନରେ ସହଯୋଗର ହାତ ବଢାଇଛନ୍ତି ।

You might also like
Leave A Reply

Your email address will not be published.